Categories: ଜାତୀୟ

ଡାକ୍ତରଙ୍କ ଘରୁ ମିଳିଲା ହଜାର ହଜାର ସଂଖ୍ୟାରେ ନକଲି ଇଞ୍ଜେକଶନ

ନୂଆଦିଲ୍ଲୀ,୨୦।୬: ବ୍ଲାକ ଫଙ୍ଗ୍‌ସରେ ପୀଡ଼ିତ ରୋଗୀଙ୍କୁ ଦିଆଯାଉଥିବା ଲିପୋସୋମାଲ ଆମ୍ଫୋଟେରିକିନ-ବି’ର ନକଲି ଇଞ୍ଜେକଶନ ଉତ୍ପାଦନ ଓ ବିକ୍ରି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୁଇ ଡାକ୍ତର। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଙ୍କ ଘରୁ ୩,୨୯୩ ନକଲି ଇଞ୍ଜେକଶନ ଭାୟାଲ ମିଳିଛି। ଏ ନେଇ ପୋଲିସ ପକ୍ଷରୁ ରବିବାର କୁହାଯାଇଛି।

ନିଜାମୁଦ୍ଦିନ ପଶ୍ଚିମାଞ୍ଚଳରେ ଚଢ଼ାଉ କଲାବେଳେ ପୋଲିସକୁ ବିପୁଳ ପରିମାଣରେ ନକଲି ଇଞ୍ଜେକଶନ ମିଳିଥିଲା। ପ୍ରାୟ ଇଞ୍ଜେକଶନରେ ବ୍ଲାକ ଫଙ୍ଗ୍‌ସ ମେଡିସିନ ଥିବାବେଳେ କିଛି କଣ୍ଟେନରରେ ନକଲି ରାମଡେସିଭିର ଔଷଧ ଥିଲା ବୋଲି କ୍ରାଇମ ବ୍ରାଞ୍ଚ ଡିସିପି ମୋନିକା ଭରଦ୍ୱାଜ କହିଛନ୍ତି।

କରୋନାରୁ ସୁସ୍ଥ ହେବା ପରେ ପୀଡ଼ିତଙ୍କ ଆଖି, ନାକ, ସାଇନସ ଓ ବ୍ରେନକୁ ନଷ୍ଟ କରୁଥିବା ବ୍ଲାକ ଫଙ୍ଗ୍‌ସ ରୋଗ ପାଇଁ ଆମ୍ଫୋଟେରିକିନ-ବି’ ଔଷଧ ଦିଆଯାଇଥାଏ। ଡାଇବେଟିସ କିମ୍ବା କର୍କଟ ଓ ଅନ୍ୟ ବଡ଼ ରୋଗରେ ପୀଡ଼ିତ ଥିବା ଆକ୍ରାନ୍ତଙ୍କ କ୍ଷେତ୍ରରେ ଏହି ରୋଗ ମାରତ୍ମକ ହୋଇପାରେ। ଏହି ଗ୍ୟାଙ୍ଗ ୪୦୦ରୁ ଅଧିକ ନକଲି ଇଞ୍ଜେକଶନ ବିକି ସାରିଛନ୍ତି। ୪୦୦ରୁ ୧୨ ହଜାର ଟଙ୍କାରେ ପ୍ରତ୍ୟେକ ଇଞ୍ଜେକଶନକୁ ବିକୁଥିଲେ।

Share