ଗୁଡ଼ାରି, ୧୪।୧୧ (ପ୍ରମୋଦ କୁମାର ପତି): ଶନିବାର ଗୁଡ଼ାରି ବ୍ଲକ କାର୍ଯ୍ୟାଳୟ ପରିସରରେ ସରକାରଙ୍କ ନୂତନ ପେନସନ ପୋର୍ଟାଲ (UPMP) ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଗୁଡ଼ାରି ବ୍ଲକ ଓ ଏନ୍ଏସିର ମୋଟ ୩୨୮ ଜଣ ହିତାଧିକାରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ନୂତନ ଭାବେ ଭତ୍ତା ପ୍ରଦାନ କରାଯାଇଛି।
ପୂର୍ବରୁ ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ନଥିପତ୍ର ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସର ଦୁଇ ମାସର ଭତ୍ତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଗୁଡ଼ାରି ବ୍ଲକର ୩୧୬ ଜଣ ଏବଂ ଏନ୍ଏସିର ୧୨ ଜଣ, ଏହିପରି ମୋଟ ୩୨୮ ଜଣ ହିତାଧିକାରୀ ନୂତନ ଭାବେ ଭତ୍ତା ପାଇ ଉପକୃତ ହୋଇଛନ୍ତି।
ବିଡିଓ ଶୁଚିସ୍ମିତା ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର, ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା, ବିଭାଗୀୟ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ଏହି ଅବସରରେ ଜିଲ୍ଲା ସ୍ତରରୁ ଆସିଥିବା ଏକ ସଚେତନତା ରଥ ଗୁଡ଼ାରି ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ନୂତନ ପେନସନ ପୋର୍ଟାଲ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିବ। ଏଥିସହ ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀମାନେ କିପରି ଭତ୍ତା ପାଇଁ ଆବେଦନ କରିପାରିବେ, ସେ ସମ୍ପର୍କରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ।

