ଗୋଦାମରୁ ୩୨୫ ବସ୍ତା ଧାନ ଜବତ

ଅନୁଗୋଳ ଅଫିସ,୪।୧: ଅନୁଗୋଳ ଜିଲା ଯୋଗାଣ ବିଭାଗ ସ୍କ୍ବାଡ୍‌ ଜଣେ ଧାନ ଦଲାଲଙ୍କୁ ଧରିବାରେ ସଫଳ ହୋଇଛି। ବଅଁରପାଳ ବ୍ଲକ ଫୁଲପଡ଼ା ଛକରେ ଥିବା ପଣ୍ଡପୁର ଗ୍ରାମର କୁମର ଗଡ଼ନାୟକଙ୍କ ଗୋଦାମରୁ ୩୨୫ ବସ୍ତାରେ ଥିବା ଦେଢ଼ଶହ କୁଇଣ୍ଟାଲ ଧାନ ଜବତ କରାଯାଇଛି। ଜବତ ଧାନ ଏକ ରାଇସ୍‌ ମିଲ୍‌କୁ ପ୍ରଦାନ କରାଯାଇଥିବା ଜିଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି, ଜିଲାରେ ଚାଷୀ ଧାନ ବିକ୍ରି କରିବା ପାଇଁ ମଣ୍ଡି ଖୋଲାଯାଇଛି। କିନ୍ତୁ ମଣ୍ଡିକୁ ଧାନ ଯିବା ପୂର୍ବରୁ ଦଲାଲ୍‌ମାନେ ବିଭିନ୍ନ ଗ୍ରାମରେ ସକ୍ରିୟ ହୋଇପଡ଼ିଛନ୍ତି। ଲୋକଙ୍କୁ ଭୁଅଁା ବୁଲାଇ ଧାନ କିଣୁଛନ୍ତି। ଫଳରେ ମଣ୍ଡିକୁ ଯିବାକୁ ଚାଷୀମାନେ ଅମଙ୍ଗ ହେଉଛନ୍ତି। ଫୁଲପଡ଼ା ଅଞ୍ଚଳରେ କୁମର ଦୀର୍ଘ ଦିନ ହେବ ହଲର କରି ଧାନ ଖରିଦ କରୁଥିଲେ। ହଲର ପଛ ପାର୍ଶ୍ୱରେ ଥିବା ଗୋଦାମରେ ଧାନ ଗଚ୍ଛିତ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପହଞ୍ଚତ୍ବା ପରେ ଯୋଗାଣ ବିଭାଗ ମଙ୍ଗଳବାର ଗୋଦାମରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କୁମର ଲୋକମାନଙ୍କ ଧାନ ଏଠାରେ ରହିଛି ଓ ଚାଉଳ କରି ନେବେ ବୋଲି ସଫେଇ ଦେଇଥିଲେ। ଏ ବାବଦକୁ କୁଇଣ୍ଟାଲ ପିଛା ଲୋକମାନେ ଦେଢ଼ ହାଜାର ଟଙ୍କା ପାରିଶ୍ରମିକ ଦେଉଥିବା ସେ କହିଥିଲେ। ହେଲେ ଯୋଗାଣ ବିଭାଗ କାଗଜପତ୍ର ମାଗିବାରୁ ତାହା ସେ ଦେଖାଇ ପାରି ନ ଥିଲେ। ଏ ନେଇ ଜିଲାପାଳଙ୍କ କୋର୍ଟରେ ଲିଖିତ ଅଭିଯୋଗ କରାଯିବ। ବିଚାର ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଆପଣାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଚଢ଼ାଉରେ ସ୍କ୍ବାଡ୍‌ ଅଧିକାରୀ ତଥା ଅତିରିକ୍ତ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ସହକାରୀ ଯୋଗାଣ ଅଧିକାରୀ ଟିକନ ଚରଣ ମହାନ୍ତି, ମୀନାରବାଳା ସେନ, ଯୋଗାଣ ନିରୀକ୍ଷକ ସୀମା ନାଥି, ମାନ ନିରୀକ୍ଷକ ସୁବ୍ରତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।