୩୨ ବର୍ଷ ବିତିଲା, ସରୁନି ରାସ୍ତା କାମ

ପ୍ରୀତିପୁର,୬ା୧(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ଏକ ରାସ୍ତା କାମ ୩୨ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନି। ଏଭଳି ଅବହେଳାକୁ ଅଞ୍ଚଳବାସୀ ସହଜେ ଗ୍ରହଣ କରିପାରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବ୍ଲକର ଜରି ଛାନ୍ଦମୁଣ୍ଡ ଗ୍ରାମର ବିସିଜେ ହାଇସ୍କୁଲ ଛକଠାରୁ ବଡକୁଁଆଲ ପ୍ରାୟ ୧୨ କିମି ରାସ୍ତା ନିର୍ମାଣ ୧୯୯୦ରେ ଆରମ୍ଭ ହୋଇଥିଲା। ଗ୍ରାମ୍ୟ ନିର୍ମାଣ ବିଭାଗର ଏହି ରାସ୍ତାକୁ ତତ୍କାଳୀନ ମୁଖମନ୍ତ୍ରୀ ବିଜୁ ପଟ୍ଟନାୟକ ଶୁଭ ଦେଇଥିଲେ। ସେହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ତତ୍କାଳୀନ ବିଧାୟିକା ତଥା ବର୍ତ୍ତମାନର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଶ୍ରମ ଓ ନିୟୋଜନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉପସ୍ଥିତ ଥିଲେ। ହେଲେ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ନ ହେବା ପ୍ରଶାସନର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ରାସ୍ତାର ମିଶ୍ର ପୋଖରୀ ଓ କୁସୁନପୁରଠାରେ ଦୁଇଟି ସେତୁ ନିର୍ମାଣ କାମ ଆଜକୁ ୫ ବର୍ଷ ପୂର୍ବେ ନିର୍ମାଣ ସରିଥିଲେ ବି ଆପ୍ରୋଚ ରାସ୍ତା ସହ କଂକ୍ରିଟ ଓ ପିଚୁ ହୋଇ ନ ଥିବାରୁ ନିର୍ମାଣାଧୀନ ରାସ୍ତାରେ କୁସୁନପୁର, ବାଙ୍ଗରା, ଜରି, ଛାନ୍ଦମୁଣ୍ଡ, ଗୁଣ୍ଡୁରିପଡା, କଣ୍ଟିତର, କୁଆଁଲ, ହଳଦୀଢିଅ ପ୍ରଭୃତି ଗ୍ରାମକୁ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେଉଛି। ଯେଉଁ କିଛି କାମ ହୋଇଥିଲା ତାହା ମଧ୍ୟ ନିମ୍ନମାନର ହେତୁ ନଷ୍ଟ ହୋଇ ଯାଇଛି । ଅପରପକ୍ଷେ ସରକାର ନୂଆ ରାସ୍ତା କରିବା ନିମନ୍ତେ ଶୁଭ ଦେଇ ନିର୍ଦ୍ଧାରିତ ସମୟରେ କାମ ସମାପ୍ତ କରୁଥିବା ବେଳେ କେଉଁ କାରଣ ଯୋଗୁ ଏହି ରାସ୍ତା ପୂର୍ଣ୍ଣାଙ୍ଗ ହେବାକୁ ୩ ଦଶନ୍ଧି ସମୟ ଲାଗୁଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଏଣୁ ଯଥାଶୀଘ୍ର ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରା ନ ଗଲେ ଜରି ଓ ବାଙ୍ଗରା ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସାମାଜିକ କର୍ମୀ ଭୁବନାନନ୍ଦ ସାମଲ, ଜ୍ଞାନରଞ୍ଜନ ଜେନା, ମମିତା ସେଠୀ, ରାଜେନ୍ଦ୍ର ରାଉତ, ସନ୍ତୋଷ ଧଳ, ସଦାନନ୍ଦ ଦାସ, ନାରାୟଣ ଦାସ, ରାଜେନ୍ଦ୍ର ରାଉତ, ଭାଗବତ ସାମଲ ପ୍ରମୁଖ ଚେତାବନୀ ଦେଇଛନ୍ତି।