୩୨ ବର୍ଷର ଅପେକ୍ଷାର ଘଟିଲା ଅନ୍ତ: ନ୍ୟୁଜିଲାଣ୍ଡ ମାଟିରେ ବିରଳ ରେକର୍ଡ କଲେ ଜୟସ୍ବାଲ-ରାହୁଲ

ଓ୍ବେଲିଂଟନ୍‌,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ନିଜର ଦମ୍‌ଦାର ପ୍ରଦର୍ଶନ ବଳରେ ଏକ ଐତିହାସିକ ରେକର୍ଡ ହାସଲ କରିଛନ୍ତି। ଉଭୟ ବ୍ୟାଟର୍‌ ପ୍ରଥମ ଉଇକେଟ୍‌ରେ ୧୩୦ ରନ୍‌ର ଶତକୀୟ ଭାଗୀଦାରି କରି ନ୍ୟୁଜିଲାଣ୍ଡ ମାଟିରେ ଭାରତୀୟ ଓପନିଂ ଯୋଡ଼ିର ୩୨ ବର୍ଷର ଅପେକ୍ଷାର ଅନ୍ତ ଘଟାଇଛନ୍ତି। ଏହି ଭାଗୀଦାରିରେ ଜୟସ୍ବାଲ ଆକ୍ରମଣାତ୍ମକ ବ୍ୟାଟିଂ କରି ୮୫ ରନ ଯୋଗଦାନ କରିଥିବା ବେଳେ କେଏଲ ରାହୁଲ ୪୨ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ।

ନ୍ୟୁଜିଲାଣ୍ଡର ସ୍ବିଙ୍ଗ ଓ ବାଉନ୍ସ ଭରା ପିଚ୍‌ରେ ଭାରତୀୟ ଓପନରଙ୍କ ପାଇଁ ବ୍ୟାଟିଂ କରିବା ସବୁବେଳେ ଚ୍ୟାଲେଞ୍ଜ ରହିଆସିଛି। ଏହା ପୂର୍ବରୁ ୧୯୯୪ ମସିହାରେ ନବଜୋତ ସିଂହ ସିଦ୍ଧୁ ଓ ନୟନ ମୋଙ୍ଗିଆଙ୍କ ଯୋଡ଼ି ନ୍ୟୁଜିଲାଣ୍ଡରେ ୧୦୦ରୁ ଅଧିକ ରନ୍‌ର ଓପନିଂ ଭାଗୀଦାରି କରିଥିଲେ। ଏବେ ଜୟସ୍ବାଲ ଓ ରାହୁଲଙ୍କ ଯୋଡ଼ି ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ କ୍ରିକେଟ୍‌ରେ ଶତକୀୟ ଓପନିଂ ଭାଗୀଦାରି କରିଥିବା ଚତୁର୍ଥ ଭାରତୀୟ ଯୋଡ଼ି ହୋଇଛନ୍ତି।

ଏହା ସହ ୨୦୦୯ରେ ୱେଲିଂଟନରେ ବୀରେନ୍ଦ୍ର ସେହ୍ବାଗ ଓ ଗୌତମ ଗମ୍ଭୀରଙ୍କ ୭୩ ରନ୍‌ର ଭାଗୀଦାରି ପରେ ନ୍ୟୁଜିଲାଣ୍ଡରେ ଭାରତୀୟ ଓପନରଙ୍କ ଏହା ପ୍ରଥମ ୫୦ରୁ ଅଧିକ ରନ୍‌ର ଭାଗୀଦାରି। ତେବେ ମ୍ୟାଟ ହେନରୀଙ୍କ ବଲ୍‌ରେ ଉଇକେଟରଙ୍କ ହାତରେ କ୍ୟାଚ ଦେଇ ଜୟସ୍ବାଲ ଆଉଟ ହେବା ପରେ ଏହି ଭାଗୀଦାରିର ଅନ୍ତ ଘଟିଥିଲା।

ଏହି ଉପଲବ୍ଧି ସହ ଅଭିଜ୍ଞ ବ୍ୟାଟର୍‌ କେଏଲ ରାହୁଲଙ୍କ ନାମରେ ମଧ୍ୟ ଏକ ସ୍ବତନ୍ତ୍ର ରେକର୍ଡ ଯୋଡ଼ି ହୋଇଛି। ଗତ ୧୫ ବର୍ଷ ମଧ୍ୟରେ SENA ଦେଶ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଭାରତୀୟ ଓପନିଂ ଯୋଡ଼ି ଚାରିଥର ୧୦୦ କିମ୍ବା ତା’ଠାରୁ ଅଧିକ ରନ୍‌ର ଭାଗୀଦାରି କରିଛନ୍ତି। ଆଶ୍ଚର୍ଯ୍ୟର କଥା, ଏହି ଚାରିଟି ଯାକ ଐତିହାସିକ ଭାଗୀଦାରିର ଅଂଶ ରହିଛନ୍ତି କେଏଲ ରାହୁଲ।

ଐତିହାସିକ ଭାଗୀଦାରି
-ରୋହିତ ଶର୍ମା ଓ କେଏଲ ରାହୁଲ ଲର୍ଡସ, ଇଂଲଣ୍ଡ
– ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ସେଞ୍ଚୁରିଅନ, ଦକ୍ଷିଣ ଆଫ୍ରିକା
– ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ପର୍ଥ, ଅଷ୍ଟ୍ରେଲିଆ
-ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ୱେଲିଂଟନ, ନ୍ୟୁଜିଲାଣ୍ଡ

Dharitri – Odisha’s No.1 Odia Daily

 

Share