Categories: ଜାତୀୟ

୩୨ ସେକେଣ୍ଡର ଭୂମି ପୂଜନ: ୪୯୨ ବର୍ଷର ପ୍ରତୀକ୍ଷା ଶେଷ

ଅଯୋଧ୍ୟା, ୫।୮: ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ମାତ୍ର ୩୨ ସେକେଣ୍ଡର ଶୁଭ ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବୁଧବାର ସମ୍ପନ୍ନ ହୋଇଛି। ୧୨ଟା ୩୦ରୁ ଅଧମିନିଟ ପାଇଁ ଥିବା ଶୁଭବେଳାରେ ଭୂମିପୂଜନ କାର୍ଯ୍ୟ କରାଯାଇଛି। ଦୀର୍ଘ ୪୦ ମିିନିଟ ଧରି ପୂଜା କରାଯାଇଥିଲା। ୯ଟି ଇଟାରେ ମନ୍ଦିରର ମୂଳଦୂଆ ରଖାଯାଇଥିଲା। ଏହାଦ୍ୱାରା ରାମଲଲାଙ୍କ ଦୀର୍ଘ ୪୯୨ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ୭୦ ଏକର ଜମିରେ ୩୦୦ କୋଟି ଟଙ୍କାରେ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ କରାଯିବ।

୧୫୨୬ରେ ଇବ୍ରାହିମ୍‌ ଲୋଧୀଙ୍କୁ ହରାଇବା ଲାଗି ବାବରୀ ସୈନ୍ୟ ଭାରତ ଆକ୍ରମଣ କରିଥିଲେ। ୧୫୨୮ରେ ବାବରଙ୍କ ଦ୍ୱାରା ନିୟୋଜିତ ଥିବା ସୁବେଦାର ମୀର୍‌ ବାକି ଏଠାରେ ଏକ ମସଜିଦ୍‌ ନିର୍ମାଣ କରି ଏହାକୁ ବାବରୀ ନାମ ଦେଇଥିଲେ। ମୀର୍‌ ବାକି କରିଥିବା ବିବାଦୀୟ ନିର୍ମାଣ ଅଞ୍ଚଳରେ ପୁଣି ରାମଲଲାଙ୍କ ମନ୍ଦିର ନିର୍ମାଣର ଶୁଭାରମ୍ଭ ହୋଇଛି। ୧୮୮୩ରେ ଏଠାରେ ମନ୍ଦିର ଥିବାନେଇ ପ୍ରଥମେ ହିଂସାକାଣ୍ଡ ଘଟିଥିଲା। ୧୮୫୮ରେ ବିବାଦୀୟ ପରିସରରେ ପୂଜା କରିବା ନେଇ ପ୍ରଥମେ ମାମଲା ଦାଏର ହୋଇଥିଲା। ପରେ ୧୮୮୫ରେ ପ୍ରଥମ ଥର ପାଇଁ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ୧୯୩୪ରେ ବିବାଦୀୟ ନିର୍ମାଣର କିଛି ଅଂଶ ଭଙ୍ଗା ଯାଇଥିଲା। ୧୯୪୯ରେ ଏଠାରେ ତାଲା ଲଗାଯାଇଥିଲା। ୩୦ ବର୍ଷ ୮ ମାସ ୨୭ ଦିନ ତଳେ ବିବାଦୀୟ ନିର୍ମାଣ ଅଞ୍ଚଳରେ ୧୯୮୯ରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରାଯାଇଥିଲା। ୧୯୯୨ ଡିସେମ୍ବର ୬ରେ ବିବାଦୀୟ ନିର୍ମାଣକୁ ଧ୍ୱଂସ କରାଯାଇଥିଲା। ଦୀର୍ଘବର୍ଷ କୋର୍ଟରେ ମାମଲା ରହିବା ପରେ ରାମଲଲାଙ୍କ ବିଜୟ ହେବା ପରେ ଏବେ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।

Share