Categories: ଜାତୀୟ

ୟୁପିରେ ଅଜ୍ଞାତ ଜ୍ୱର ନେଲାଣି ୩୨ ଛୁଆଙ୍କ ଜୀବନ

ଫିରୋଜାବାଦ୍‌,୩୧।୮: ଏକ ଅଜ୍ଞାତ ଜ୍ୱର କାରଣରୁ ଉତ୍ତର ପ୍ରଦେଶର ଫିରୋଜାବାଦରେ ଅତିକମ୍‌ରେ ୩୨ ଛୁଆ ଓ ୭ ବୟସ୍କଙ୍କ ମୃତ୍ୟୁ ହୋଇଛି। ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଅଜ୍ଞାତ ରୋଗରେ ପୀଡ଼ିତ ଲୋକଙ୍କ ଠାରେ ଉଚ୍ଚ ଜ୍ୱର ଓ ରକ୍ତରେ ପ୍ଲାଟେଲେଟ୍ସର ମାତ୍ର ହ୍ରାସ ପାଉଥିବା ଲକ୍ଷଣ ଦେଖାଦେଉଛି। ଅଜ୍ଞତା ରୋଗ କାରଣରୁ ହୋଇଥିବା ମୃତ୍ୟୁର ଯାଞ୍ଚ କରିବେ ଲକ୍ଷ୍ନୌ ସ୍ଥିତ କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟିର ଡାକ୍ତରୀ ଦଳ। ଏହି ଅଜ୍ଞାତ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ଫିରୋଜାବାଦରେ ୧ମରୁ ୮ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।

ଫିରୋଜାବାଦ ସ୍ଥିତ ଅଟୋନୋମସ ସରକାରୀ ମେଡିକାଲ କଲେଜରେ ସୋମବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ। ଭାଇରାଲ ଜ୍ୱର ପଛର କାରଣ ଜାଣିବା ପାଇଁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ଓ ମୁଖ୍ୟ ମେଡିକାଲ ଅଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତଙ୍କ ରକ୍ତ ନମୁନାକୁ ପରୀକ୍ଷା ପାଇଁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍‌ ଅଫ୍‌ ମେଡିକାଲ ସାଇନ୍ସକୁ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

Share