Categories: ଜାତୀୟ

୫ ରାଜ୍ୟକୁ ୩,୧୧୩ କୋଟିର ବିପର୍ଯ୍ୟୟ ସହାୟତା

ନୂଆଦିଲ୍ଲୀ,୧୩।୨: ଗତବର୍ଷ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଚାଷ ଜମିରେ ହୋଇଥିବା କୀଟ ଆକ୍ରମଣ ନେଇ ୫ଟି ରାଜ୍ୟକୁ ୩,୧୧୩ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଏହାକୁ ମଞ୍ଜୁର କରିଛନ୍ତି। ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଆନ୍ଧ୍ରପ୍ରଦେଶ, ବିହାର, ତାମିଲନାଡୁ, ପୁଡୁଚରେୀ ଏବଂ ମଧ୍ୟପ୍ରଦେଶକୁ ଏହି ସହାୟତା ଯୋଗାଇ ଦିଆଯିବ। ନିଭାର ଏବଂ ବୁରେଭି ବାତ୍ୟା ଯୋଗୁ ଏସବୁ ରାଜ୍ୟରେ ବହୁ କ୍ଷୟକ୍ଷତି ଘଟିଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ଯୋଗୁ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତ ଯୋଗୁ ରାଜ୍ୟକୁ ୨୮୦.୭୮ କୋଟି ଟଙ୍କା ଯୋଗାଇ ଦିଆଯିବ। ସେହିପରି ବିହାରରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ କ୍ଷୟକ୍ଷତି ଭରଣା ପାଇଁ ୧,୨୫୫.୨୭ କୋଟି ଟଙ୍କା ପ୍ରଦାନ କରାଯିବ। ତାମିଲନାଡୁକୁ ନିଭାର ବାତ୍ୟା ଲାଗି ୬୩.୧୪ କୋଟି ଏବଂ ବୁରେଭି ପାଇଁ ୨୨୩.୭୭ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିଭାର ବାତ୍ୟା କ୍ଷୟକ୍ଷତି ଲାଗି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀକୁ ୯.୯୧ କୋଟିର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଖରିଫ୍‌ ଋତୁରେ ମଧ୍ୟପ୍ରଦେଶରେ ଘଟିଥିବା କୀଟ ଆକ୍ରମଣ ଯୋଗୁ ଚାଷଜମିରେ ଫସଲ ଉଜୁଡ଼ି ଯାଇଥିଲା। ଏନେଇ ରାଜ୍ୟକୁ ୧,୨୮୦.୧୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share