Categories: ଜାତୀୟ

ଅର୍ପିତାଙ୍କ ନାଁରେ ୩୧ ପଲିସି, ନୋମିନି ଅଛନ୍ତି ପାର୍ଥ

କୋଲକାତା,୫ ।୮: ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟ ସମ୍ପର୍କିୟ ଅର୍ପିତା ମୁଖାର୍ଜୀଙ୍କ ନାମରେ ୩୧ଟି ଜୀବନ ବୀମା ପଲିସି ଥିବା ଜଣାପଡିଛି । କେବଳ ସେତିକି ନୁହେଁ ସବୁ ପଲିସିରେ ପାର୍ଥ ଚାଟାର୍ଜୀ ନୋମିନି ରହିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ ସମୟରେ ଏହା ଜଣାପଡିଛି ।

ସୂଚନାଯୋଗ୍ୟ, ବୁଧବାର ଇଡିର ଟିମ ଯାଞ୍ଚ ସମୟରେ ବୀରଭୂମ ଜିଲାର ଶାନ୍ତିନିକେତନ ସ୍ଥିତ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ଅପା ନାମକ ବଙ୍ଗଳାରେ ପହଞ୍ଚିଥିଲେ । ମାଟି ଓଦା ଥିବାରୁ ସନ୍ଦେହରେ ବଙ୍ଗଳା ବଗିଚାର ମାଟି ଖୋଳି ଯାଞ୍ଚ କରାଯାଇଥିଲା । ବୁଧବାର ଶୁଣାଣି ସମୟରେ ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନରାଲ ଏସବି ରାଜୁ କୋର୍ଟଙ୍କୁ କହିଥିଲେ, ଘୋଟାଲାରେ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ କମ୍ପାନୀ ‘ଅପା ୟ୍ରୁଟିଲିଟି ସର୍ଭିସେସ’ ସମ୍ପର୍କରେ ସୂଚନା ମିଳିଥିଲା । ଏହି ସଂସ୍ଥା ନିକଟରେ ୪ ଫ୍ଲାଟ ରହିଛି । ଏହା ମିଳିତ ଭାବେ କ୍ରୟ କରାଯାଇଛି ।
ଅର୍ପିତା ମୁଖାର୍ଜୀଙ୍କ ଏକ ବେଆଇନ କମ୍ପାନୀର ଠିକଣାରେ ମ୍ୟାରେଜ ହଲ ଓ ଆପାର୍ଟମେଣ୍ଟ ମିଳିଛି । ଏହାସହ ଆଉ ଏକ କମ୍ପାନୀରେ ଡାଇରେକ୍ଟର ରହିଛନ୍ତି ଜଣେ ପିଅନ । ଯାଞ୍ଚରେ ଚାଟାର୍ଜୀ ସହଯୋଗ କରୁନାହନ୍ତି ବୋଲି ଇଡି ଦାବି କରିଛି । ଅର୍ପିତାଙ୍କ ଫ୍ଲାଟରୁ ଉଦ୍ଧାର ହୋଇଥିବା ୨୨ଟି ମୋବାଇଲ ଏବଂ ଡିଜିଟାଲ ଉପକରଣରୁ ଅନେକ ତଥ୍ୟ ମିଳିଛି । ଏହା ଆଧାରରେ ଅର୍ପିତା ଓ ପାର୍ଥଙ୍କୁ ମୁହାଁମୁହିଁ ପଚରା ଉଚରା କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Share