୬ ଦିନରେ ୩,୦୨,୯୫୦ କଇଁଛଙ୍କ ଅଣ୍ଡାଦାନ

ରାଜନଗର,୧୦ା୪(ଭାସ୍କର ରାଉତରାୟ):ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ଲକ୍ଷାଧିକ କଇଁଛଙ୍କ ଅଣ୍ଡାଦେବା ପ୍ରକ୍ରିୟାରେ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତମାସ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ହୋଇଛି। ଅନୁକୂଳ ପାଗର ସୁଯୋଗ ନେଇ ୨ ତାରିଖରେ ୩,୦୩୭; ୩ରେ ୮୩, ୬୦୦; ୪ରେ ୯୮,୦୧୬ ଏବଂ ୫ ତାରିଖରେ ୮୨,୬୬୩; ୬ରେ ୩୨,୮୬୭ ଏବଂ ୭ ତାରିଖରେ ୧,୬୦୮ ଏପରି ମୋଟ୍‌ ୩ ଲକ୍ଷ ୨ ହଜାର ୯୫୦ ମା’ ଅଲିଭ୍‌ ରିଡ୍‌ଲେ ଅଣ୍ଡା ଦେଇଥିବା ନେଇ ଏସିଏଫ୍‌ ମାନସ କୁମାର ଦାସ ସୂଚନା ଦେଇଛନ୍ତି। ପ୍ରତିକୂଳ ପାଗ ଯୋଗୁ ଗୋଟିଏ ମାସ ପରେ କଇଁଛଗୁଡ଼ିକ ସମୂହ ଅଣ୍ଡାଦାନ କରିଛନ୍ତି, ଯାହା ଗହୀରମଥା ଇତିହାସରେ ପ୍ରଥମ ବୋଲି ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।
ସୂଚନାଯୋଗ୍ୟ, ମା’ କଇଁଛଗୁଡ଼ିକ ବେଳାଭୂମିର ନରମ ବାଲିରାଶିରେ ପଛଗୋଡ଼ ସାହାଯ୍ୟରେ ୧ରୁ ଦେଢ଼ଫୁଟ ଗଭୀରର ଗାତ ଖୋଳିଥାନ୍ତି। ଗାତ ଖୋଳିସାରିବା ପରେ ମା’ କଇଁଛ ପ୍ରାୟ ୧୦୦ଟି ଉପରେ ଅଣ୍ଡା ଦେଇଥାଏ। ପ୍ରତ୍ୟେକ ଅଣ୍ଡାର ଆକାର ଗୋଟିଏ ପିଙ୍ଗ୍‌ପିଙ୍ଗ୍‌ ବଲ୍‌ ପରି। ଅଣ୍ଡାର ଖୋଳପା ନମନୀୟ ହୋଇଥିବାରୁ ଅଣ୍ଡା ଦେବା ସମୟରେ ତାହା ଫାଟି ନ ଥାଏ। ଅଣ୍ଡା ଦେଇସାରିବା ପରେ ମା’ କଇଁଛ ଗାତକୁ ବାଲି ଘୋଡ଼ାଇ ଲୁଚାଇ ପକାଇ ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟଙ୍କ ଉତ୍ତାପରେ ଉଷୁମ ହୋଇ ଅଣ୍ଡାଗୁଡ଼ିକରୁ ୪୫ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ସମୟରେ ଏମାନଙ୍କ ସୁରକ୍ଷା ପାଇଁ ଗହୀରମଥା ରେଞ୍ଜ୍‌ ଅଫିସର ପ୍ରଦୋଷ କୁମାର ମହାରଣାଙ୍କ ସମେତ ବନ କର୍ମଚାରୀମାନେ ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି। ଅଣ୍ଡାଦାନ ସ୍ଥଳକୁ ବାଡ଼ ବୁଜାଯିବା ସହ ବନ କର୍ମଚାରୀମାନେ ଜଗି ରହିଛନ୍ତି। ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗତବର୍ଷ ୫ ଲକ୍ଷ ୧୨,୧୩୫ ମା’ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ଚଳିତବର୍ଷ ବିଶ୍ୱ ତାପନ ଓ ଜଳବାୟୁର ଅହେତୁକ ପରିବର୍ତ୍ତନ ଯୋଗୁ କଇଁଛମାନଙ୍କ ଜୀବନଶୈଳୀ ଉପରେ ତା’ର ପ୍ରଭାବ ପଡ଼ିଥିବାରୁ ବିଗତ ୫ବର୍ଷ ମଧ୍ୟରେ ସବୁଠୁ କମ୍‌ସଂଖ୍ୟକ ୩ ଲକ୍ଷ ୨ହଜାର ୯୫୦ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।