ଖୁସି ନୁହନ୍ତି ଓଡ଼ିଶାବାସୀ

ଭୁବନେଶ୍ୱର(ବ୍ୟୁରୋ),୨୬।୯: କରୋନାରେ ଓଡ଼ିଆମାନେ ଖୁସି ନ ଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଶୁକ୍ରବାର ଇଣ୍ଡିଆ ହାପିନେସ୍‌ ରିପୋର୍ଟ-୨୦୨୦ ପ୍ରକାଶ ପାଇଥିବାବେଳେ ତାଲିକାର ସବୁଠାରୁ ଶେଷରେ ରହିଛି ଓଡ଼ିଶା। ଦେଶବ୍ୟାପୀ ହୋଇଥିବା ଏହି ସର୍ଭେରେ ଓଡ଼ିଶା ୩୪ତମ ସ୍ଥାନରେ ରହିଛି। ଆର୍ଥିକ, ସାମାଜିକ, ଆଧ୍ୟାତ୍ମିକ ଓ ପରୋପକାର ମନୋଭାବ ଆଦି କ୍ଷେତ୍ରରେ ପଛରେ ପଡ଼ିଛନ୍ତି ଓଡିଆ। ତେବେ ଦକ୍ଷିଣ-ପୂର୍ବ ଭାରତୀୟ ରାଜ୍ୟ ମିଜୋରାମ ତାଲିକାର ଶୀର୍ଷରେ ରହିଥିବାବେଳେ ଦ୍ୱିତୀୟରେ ରହିଛି ପଞ୍ଜାବ। ସେହିଭଳି ୩ୟ ସ୍ଥାନରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ରହଛି। ତେବେ କରୋନାରେ ସମଗ୍ର ଦେଶରେ କରାଯାଇଥିବା ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିବାପରେ ଅଧିକାଂଶ ଓଡ଼ିଆ ନିଜ ଜୀବନକୁ ନେଇ ଖୁସି ନ ଥିବା ଜଣାପଡ଼ିଛି।
ଦେଶର ଖ୍ୟାତନାମା ମ୍ୟାନେଜମେଣ୍ଟ ଷ୍ଟ୍ରାଟେଜିଷ୍ଟ୍‌ ପ୍ରଫେସର ରାଜେଶ କେ. ପିଲାନିଆଙ୍କ ଦ୍ୱାରା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ଏହି ସର୍ଭେ ହୋଇଥିଲା। ଖୁସିର ୬ ମାନଦଣ୍ଡକୁ ନେଇ ହୋଇଥିବା ସର୍ଭେରେ ଦେଶର ୧୬,୯୫୦ ଲୋକଙ୍କୁ ସାମିଲ କରାଯାଇଥିଲା। ତେବେ ଓଡ଼ିଶାବାସୀ ବିଷାଦଗ୍ରସ୍ତ ହେବାର କାରଣ କ’ଣ ଥାଇପାରେ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଦେଶର ଶାନ୍ତିପ୍ରିୟ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ। ଏଠାକାର ଲୋକଙ୍କ ଜୀବନଶୈଳୀ ବି ବେଶ୍‌ ସରଳ। ତେବେ ଖୁସି ରହିବାରେ ଆର୍ଥିକ ଓ ସାମାଜିକ ସ୍ଥିତି ସର୍ବାଧିକ ପ୍ରଭାବ ପକାଇଥାଏ। ଏହି ଦୁଇ ମାନଦଣ୍ଡରେ ଓଡ଼ିଶା ପଛରେ ପଡ଼ିଯାଇଥିବା ଜଣାପଡୁଛି। ବିଶେଷକରି ନିଯୁକ୍ତି, ଆୟ ଏବଂ ସ୍ବାସ୍ଥ୍ୟଗତ କାରଣକୁ ନେଇ ଓଡ଼ିଶାବାସୀ ଚିନ୍ତାରେ ରହୁଛନ୍ତି। ରାଜ୍ୟରେ ବର୍ତ୍ତମାନର ଅର୍ଥନୈତିକ ଓ ସାମାଜିକ ସ୍ଥିତିକୁ ନେଇ ଓଡ଼ିଶାବାସୀ ଚାପଗ୍ରସ୍ତ ରହିବା ସହ ଜୀବନକୁ ଉପଭୋଗ କରିପାରୁ ନ ଥିବା କୁହାଯାଇଛି।