ନୂଆଦିଲ୍ଲୀ,୨୭।୧୦: କ୍ରିକେଟ ପଡ଼ିଆରେ ଜଣେ ଯୁବ ଖେଳାଳିଙ୍କ ବିସ୍ଫୋରକ ପ୍ରଦର୍ଶନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦିଲ୍ଲୀ ସ୍କୁଲ୍ସ ଟି-୨୦ ଲିଗ୍ରେ ଆର୍ଯ୍ୟନ ଶର୍ମା ଏଭଳି ଏକ ଇନିଂସ ଖେଳିଛନ୍ତି, ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି। ଇନ୍ଦ୍ରପ୍ରସ୍ଥ ୱାଲର୍ଡ ସ୍କୁଲ ବିପକ୍ଷରେ ସେ ମାତ୍ର ୯୩ଟି ବଲ୍ରୁ ଅପରାଜିତ ୩୧୧ ରନ ସଂଗ୍ରହ କରିଛନ୍ତି।
ଜନକପୁରୀସ୍ଥିତ ସୁମେରମଲ ଜୈନ ପବ୍ଲିକ ସ୍କୁଲର ଛାତ୍ର ଆର୍ଯ୍ୟନ ନିଜ ଇନିଂସ୍ରେ ମୋଟ ୩୦ଟି ଛକା ଓ ୨୭ଟି ଚୌକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ଥିଲା ପ୍ରାୟ ୩୩୪। କ୍ରିଜ୍ରେ ସେ ୧୦୬ ମିନିଟ ବିତାଇ ଇନ୍ଦ୍ରପ୍ରସ୍ଥ ୱାଲର୍ଡ ସ୍କୁଲ୍ର ବୋଲରମାନଙ୍କୁ ଚାପରେ ରଖିଥିଲେ। ଆର୍ଯ୍ୟନଙ୍କ ଏହି ବିସ୍ଫୋରକ ବ୍ୟାଟିଂ ବଳରେ ସୁମେରମଲ ଜୈନ ପବ୍ଲିକ ସ୍କୁଲ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୨ଟି ଉଇକେଟ ହରାଇ ୩୮୯ ରନ୍ର ବିଶାଳ ସ୍କୋର୍ କରିଥିଲା।
୩୯୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇନ୍ଦ୍ରପ୍ରସ୍ଥ ୱାଲର୍ଡ ସ୍କୁଲର ଦଳ ୧୯.୫ ଓଭରରେ ମାତ୍ର ୧୪୨ ରନ କରି ଅଲଆଉଟ ହୋଇଯାଇଥିଲା। ଫଳରେ ସୁମେରମଲ ଜୈନ ପବ୍ଲିକ ସ୍କୁଲ ୨୪୭ ରନ୍ର ବଡ଼ ବ୍ୟବଧାନରେ ମ୍ୟାଚ ଜିତିଥିଲା।
ଆର୍ଯ୍ୟନଙ୍କ ୩୧୧ ରନ୍ର ଇନିଂସ ଏହି ମ୍ୟାଚ୍ର ମୁଖ୍ୟ ଆକର୍ଷଣ ଥିଲା। ଏକ ଟି-୨୦ ମ୍ୟାଚ୍ରେ ବ୍ୟକ୍ତିଗତ ଭାବେ ୩୦୦ରୁ ଅଧିକ ରନ କରିବା ଅତ୍ୟନ୍ତ ବିରଳ ଘଟଣା ହୋଇଥିବାରୁ ତାଙ୍କ ପ୍ରଦର୍ଶନକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।
ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ କ୍ରିକେଟ୍ରେ ଅଧିକ ସୁଯୋଗ ଦେବା ପାଇଁ ‘ସ୍କୁଲ୍ସ ଟୋଟାଲ ଟି-୨୦ ଲିଗ’ ଆରମ୍ଭ କରାଯାଇଛି। ଏହି ଲିଗ୍ର ପ୍ରଥମ ସଂସ୍କରଣରେ ୯୦ରୁ ଅଧିକ ସ୍କୁଲ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ସିଜିନ୍ର ମ୍ୟାଚ ୨୨ ଅକ୍ଟୋବର ୨୦୨୬ରୁ ଆରମ୍ଭ ହୋଇଥିବା ସୂଚନା ରହିଛି।
ପିଏନ୍ପି ସ୍ପୋଟର୍ସ ମ୍ୟାନେଜମେଣ୍ଟ ଏଲଏଲ୍ପି (PNP Sports Management LLP) ପକ୍ଷରୁ ଏହି ଲିଗ୍ର ଆୟୋଜନ କରାଯାଉଛି। ପୂର୍ବତନ ଭାରତୀୟ କ୍ରିକେଟର୍ ଚେତନ ଶର୍ମାଙ୍କୁ ଲିଗ କମିଶନର୍ ଭାବେ ନିଯୁକ୍ତ କରାଯାଇଛି। ଏହି ଲିଗ୍ରେ ସ୍କୁଲ ଓ କଲେଜ ପାଇଁ ପୃଥକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ଫଳରେ ଯୁବ ଖେଳାଳିମାନେ ଅନ୍ୟ ଶିକ୍ଷାନୁଷ୍ଠାନର ଦଳ ବିପକ୍ଷରେ ଖେଳି ନିଜ ଦକ୍ଷତା ପ୍ରମାଣ କରିବା ସହ ଟି-୨୦ କ୍ରିକେଟ୍ରେ ଅଭିଜ୍ଞତା ହାସଲ କରିପାରିବେ।