ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩୦ ବସ୍‌

ରାଉରକେଲା ଅଫିସ,୭।୧: ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରରେ ମୋ ବସ୍‌ ସେବା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୫ଟି ନନ୍‌ ଏସି ଓ ୫ଟି ଏସି ବସ୍‌ ଚଳାଚଳ କରାଯାଇଛି। ସହରରେ ମୋ ବସ୍‌ ଗଡ଼ିବା ପରେ ଶୁକ୍ରବାର ଯାତାୟାତ କରିବା ପାଇଁ ବସ୍‌ଷ୍ଟାଣ୍ଡରେ ଭିଡ଼ ଜମିଥିଲା। ଏହି ବସ୍‌ ଚଳାଚଳ ପାଇଁ ମୋ ବସ୍‌ ଆପ୍‌ ଆସିବା ପରେ ସହରବାସୀ ଉକ୍ତ ଆପ୍‌ରୁ କେଉଁ ରୁଟ୍‌ରେ କେଉଁ ବସ୍‌ ଯାଉଛି ଓ ସମୟ ସାରଣୀ ଉପରେ ଅବଗତ ହେଇ ପାରୁଥିବାରୁ ଏହା ବିଶେଷ ଲାଭଦାୟକ ହୋଇଛି। ସହରର ପ୍ରମୁଖ ଛକ ହନୁମାନ ବାଟିକା, ରଘୁନାଥପାଲି, ଆରଜିଏଚ୍‌, ବାସନ୍ତୀ କଲୋନୀ ଛକ ଭଳି ବିଭିନ୍ନ ସ୍ଥାନରେ ମୋ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ସେଠାରେ ରୁଟ୍‌ ମ୍ୟାପ୍‌ ସହ ଯାତ୍ରୀଙ୍କ ସ୍ମାର୍ଟଫୋନ ରିଚାର୍ଜ କରିବା ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ସହରରେ ରୁଟ୍‌ ନଂ. ୧୦୦ର ବସ୍‌ଟି ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରୁ ବାହାରି ବିର୍ସାମୁଣ୍ଡା ଷ୍ଟାଡିୟମ ଭାୟା ରିଂରୋଡ୍‌ ହୋଇ ଆଇଜିଏଚ୍‌, ସେକ୍ଟର, ବିପିୟୁଟି ଯାଉଛି। ରୁଟ୍‌ ନଂ. ୧୦୩ ବସ୍‌ ଉଦିତନଗର ହୋଇ ବାସନ୍ତୀ କଲୋନୀ, ହନୁମାନ ବାଟିକା, ଛେଣ୍ଡ କଲୋନୀ ଦେଇ ଯାଉଛି । ରୁଟ୍‌ ନଂ. ୧୦୭ ବସ୍‌ ରାଉରକେଲା ନୂଆ ବସଷ୍ଟାଣ୍ଡ ଭାୟା ବନ୍ଧମୁଣ୍ଡା ଦେଇ ବିର୍ସା ଯାଉଛି। ଏ ନେଇ ଆରଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ସେ କହିଥିଲେ, ରାଉରକେଲାରେ ମୋ ବସ୍‌ର ଚାହିଦାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ୩୦ଟି ବସ୍‌ ଆସିବାର ଅଛି। ରାଉରକେଲା ସହର ପାଇଁ ମୁଖ୍ୟତଃ ଶହେଟି ବସ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ବସ୍‌ ରହଣି ବ୍ୟବସ୍ଥା ରାଉରକେଲା ବସ୍‌ଷ୍ଟାଣ୍ଡରେ କରାଯାଇଛି ବୋଲି ଭୋଇ କହିଥିଲେ।