Categories: ଜାତୀୟ

୩୦ ଆଇଟିବିପି ଯବାନଙ୍କ ଆଫଗାନିସ୍ତାନରେ ପୁଣି ମୁତୟନ ଆବେଦନ ଖାରଜ..

ନୂଆଦିଲ୍ଲୀ,୮।୮: ଆଫଗାନିସ୍ତାନର ଅବସ୍ଥା କାହାଠାରୁ ଲୁଚି ନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ପାଇଁ ଭାରତ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର କିଛି ଯବାନ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ ହାଇକୋର୍ଟ ଏହାର ବିଚାର କରି ହିଂସା ପ୍ରଭାବିତ ଆଫଗାନିସ୍ତାନରେ ପୁଣି ଥରେ ମୁତୟନ ହେବା ଲାଗି ଆଇଟିବିପିର ୩୦ ଯବାନଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଯେ, ଏହି ବିପଜ୍ଜନକ ପରିସ୍ଥିତିରେ କେହି କ‘ଣ ସେଠାକୁ ଫେରିବାକୁ ଆଗ୍ରହ ପ୍ରକାଶ କରିବେ।
ବିଚାରପତି ରାଜୀବ ସହାୟ ଏଣ୍ଡଲୋ ଏବଂ ଅମିତ ବନସାଲଙ୍କ ଦ୍ୱାରା ଗଢ଼ିତ ଖଣ୍ଡପୀଠ କହିଛନ୍ତି ଯେ ଆଇଟିବିପି ଭଳି ସଶସ୍ତ୍ର ବାହିନୀର କର୍ମକର୍ତ୍ତା ଭାବରେ ଆବଶ୍ୟକତା ଅନୁଯାୟୀ ଦେଶର ଯେ କୌଣସି ସ୍ଥାନରେ ପୋଷ୍ଟିଂ କରାଯାଇପାରିବ। ତେବେ ଆଫଗାନିସ୍ତାନରେ ପୋଷ୍ଟିଂ ହେବା ଲାଗି ସେମାନଙ୍କର କୌଣସି ଅଧିକାର ନାହିଁ। ଆବେଦନକାରୀଙ୍କୁ ଭାରତ ଆସିବା ପୂର୍ବରୁ କାନ୍ଧାହାରରେ ମୁତୟନ କରାଯାଇଥିଲା।
ଆଫଗାନିସ୍ତାନରେ ଆଇଟିବିପିର ଏକ ୟୁନିଟ କାବୁଲରେ ଥିବା ଭାରତର ଦୂତାବାସ ଏବଂ କାନ୍ଧାହାରରେ ଥିବା କନସୁଲେଟକୁ ଜଗିବା ପାଇଁ ନିୟୋଜିତ କରାଯାଇଛି। ଆଇଟିବିପି ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ବିଦେଶରେ ଡ୍ୟୁଟି ପାଇଁ ରିପୋର୍ଟ କରିଥାଏ ଏବଂ ମୁତୟନ ହୋଇଥିବା ମନୋନୀତ କର୍ମଚାରୀଙ୍କୁ ଅତିରିକ୍ତ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ। ଆଫଗାନିସ୍ତାନର ଅବସ୍ଥା ଖରାପ ହେବା ସହ ତାଲିବାନର ହସ୍ତକ୍ଷେପ ପରେ ଭାରତ କାନ୍ଧାହାରରେ ଥିବା ଦୂତାବାସକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ଆଇଟିବିପି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଆଇନଜୀବୀ ଗୌରାଙ୍ଗ କନ୍ଥ ଯୁକ୍ତି କରିଥିଲେ ଯେ ଏକ ବିଦେଶୀ ମିଶନରେ କର୍ମଚାରୀଙ୍କ ନିୟୋଜନ, ଡି-ଇଣ୍ଡକଶନ ଏବଂ ରି- ଇଣ୍ଡକଶନ ଏକ ପ୍ରଶାସନିକ ପ୍ରସଙ୍ଗ। ଖଣ୍ଡପୀଠ ଏହା ସହିତ ସହମତି ପ୍ରକାଶ କରିବା ସହିତ କହିଛନ୍ତି ଯେ, ଆଇଟିବିପି କର୍ମଚାରୀଙ୍କୁ କେଉଁଠାରେ ଏବଂ କିପରି ମୁତୟନ କରାଯିବ ତାହା କୋର୍ଟ ସ୍ଥିର କରିପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଆଇଟିବିପିର ନିଜସ୍ବ ପ୍ରସଙ୍ଗ ଏଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି।

Share