‘୩୦ ଘଣ୍ଟା ହେଲା ମେଟ୍ରୋ ଷ୍ଟେଶନରେ ଲୁଚିଛୁ, ବାହାରେ ବୋମା ବର୍ଷୁଛି’

ନୂଆଦିଲ୍ଲୀ,୨୫।୨: ରୁଷିଆ ଆକ୍ରମଣ କରିବାରୁ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସାହାଯ୍ୟ ମାଗୁଛନ୍ତି। କିଛି ଛାତ୍ରୀଛାତ୍ର ସେମାନଙ୍କ ଆପାର୍ଟମେଣ୍ଟ ଛାଡ଼ି ନ ଥିବା ବେଳେ ଅନ୍ୟମାନେ ମାଟି ତଳେ ଥିବା ମେଟ୍ରୋ ରେଲଓ୍ବେ ଷ୍ଟେଶନ ତଥା ବୋମା ଶେଲଟରରେ ଲୁଚିଛନ୍ତି। ଏବେ ବି ୧୬ ହଜାର ଭାରତୀୟ ୟୁକ୍ରେନରେ ଫସିଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରାୟତଃ ଛାତ୍ରୀଛାତ୍ର।

ଭାଇରାଲ ହୋଇଥିବା ଭିଡିଓରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଟ୍ରେନ ଷ୍ଟେଶନରେ ଲୋକେ ଚଟାଣରେ ବସିଥିବା ଦେଖିବାକୁ ମିଳିଛି। ୟୁକ୍ରେନର ପଶ୍ଚିମାଞ୍ଚଳର ଟେର୍ନୋପିଲରେ ଅଧ୍ୟୟନ କରୁଥିବା ନୀଲେଶ ଜୈନ କହିଛନ୍ତି, ଆମେ ୩୦ ଘଣ୍ଟା ହେଲା ମେଟ୍ରୋ ଷ୍ଟେଶନରେ ଅଛୁ। ଇଣ୍ଟରନେଟ୍‌ କନେକଶନ ଭଲ ନାହିଁ। ବାହାରେ ବୋମା ବିସ୍ଫୋରଣ ହେଉଥିବା ଆମେ ଶୁଣି ପାରୁଛି। ଦୟାକରି ଆମକୁ ସାହାଯ୍ୟ କର। ଆମକୁ ଉଦ୍ଧାର କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରୁଛି।

ଅନ୍ୟ ଏକ ଭାରତୀୟ ଛାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରୁଥିବା ଶୁଣିବାକୁ ମିଳୁଛି। ମନୀଷ ଜୈଶ୍ୱାଲ ନାମକ ଛାତ୍ର ୟୁକ୍ରେନରେ ମେଡିସନରେ ଅଧ୍ୟୟନ କରୁଛନ୍ତି।

“ଆମକୁ ସାହାଯ୍ୟ କରିବାକୁ କେହି ନାହାନ୍ତି। ସକାଳୁ ସହରରେ ୩-୪ ବୋମା ପଡ଼ି ସାରିଲାଣି। ଆମ ପାଖରେ ଖାଦ୍ୟ ସାମଗ୍ରୀ ସରି ଆସିଲାଣି। ଏୟାର ରୁଟ ବନ୍ଦ ଅଛି। ଆମକୁ ଯଥାଶୀଘ୍ର ଉଦ୍ଧାର କରିବା ପାଇଁ ମୁଁ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥ ଜୀଙ୍କୁ ଅନୁରୋଧ କରୁଛି” ବୋଲି ମନୀଷ ନିଜ ଆପାର୍ଟମେଣ୍ଟରୁ ଭିଡିଓ କରି କହିଛନ୍ତି। ତେବେ ସେ ୟୁକ୍ରେନର କେଉଁ ସହରରେ ଅଛନ୍ତି, ତାହା ସେ ଉଲ୍ଲେଖ କରି ନାହାନ୍ତି।

Share