Categories: ଜାତୀୟ

୩୦ ସହରବାସୀ ଭୋଗିବେ ଜଳଯନ୍ତ୍ରଣା

ନୂଆଦିଲ୍ଲୀ,୩।୧୧(ଆଇଏଏନ୍‌ଏସ୍‌): କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ତିଷ୍ଠିରହିବା ଅସମ୍ଭବ। ହେଲେ ଜଳବାୟୁରେ ପରିବର୍ତ୍ତନ ସହ ସାମାଜିକ ଚାଲିଚଳଣି ପରିବେଶକୁ ବିଗାଡ଼ିବାରେ ଲାଗିଛି। ଏବେଠାରୁ ଏହାକୁ ନ ସୁଧାରିଲେ କିମ୍ବା ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗକୁ ବିଷମୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏକ ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ଅଧ୍ୟୟନରୁ ଜଣାପଡ଼ିଛି ଯେ, କିଛି ଦଶନ୍ଧି ମଧ୍ୟରେ ଭାରତର ୩୦ ସହରରେ ଉତ୍କଟ ଜଳସଙ୍କଟ ଦେଖାଦେବ। ମୁ୍‌ମ୍ବାଇ, କୋଲକାତା, ଜୟପୁର, ଅମ୍ରିତସର, ବିଶାଖାପାଟଣା, ଇନ୍ଦୋର, ଶ୍ରୀନଗର, ପୁଣେ, କୋଝିକୋଡେ ଆଦି ସହରରେ ଏଭଳି ସ୍ଥିତି ଉପୁଜିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସହରୀ ସଭ୍ୟତାର ଦ୍ରୁତ ବିକାଶ ପରିଲକ୍ଷିତ ହେଉଛି। ସହରଗୁଡ଼ିକର ପରିବେଶ ଦିନକୁଦିନ ପ୍ରଦୂଷିତ ହେବାରେ ଲାଗିଛି। ବିକାଶ ସହ ପରିବେଶ ସନ୍ତୁଳନ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଥିବା ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌, ଇଣ୍ଡିଆର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସେଜଲ ଓ୍ବେରହ ପ୍ରକାଶ କରିଛନ୍ତି। ସ୍ମାର୍ଟସିଟିରେ ଯୋଜନା ମୁତାବକ ସମନ୍ବିତ ଜଳ ପରିଚାଳନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜଳ ସଂରକ୍ଷଣ, ଜଳ ଯୋଗାଣ, ଜଳ ପରିଚାଳନା ଓ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏନେଇ ଏବେଠାରୁ ସଜାଗ ହେବାକୁ କୁହାଯାଇଛି। ବିଭିନ୍ନ ଘରୋଇ କଳ କାରଖାନା ଓ ଅନୁଷ୍ଠାନ ଏସବୁ ନିୟମ ପାଳନ କରିବା ଉଚିତ। କେବଳ ଭାରତ ନୁହେଁ, ବିଶ୍ୱର ଅନେକ ସହରରେ ଏବେଠାରୁ ଜଟିଳ ସ୍ଥିତି ଦେଖାଦେଲାଣି। ୨୦୫୦ ମସିହା ବେଳକୁ ବିଶ୍ୱର ୧୦୦ ସହର କିମ୍ବା ଅତି କମ୍‌ରେ ୩୫ କୋଟିରୁ ଊର୍ଦ୍ଧ୍ୱ ଲୋକ ଜଳକଷ୍ଟ ଭୋଗକରିବାର ଆଶଙ୍କା ରହିଥିବା କୁହାଯାଇଛି। ୨୦୨୦ରେ ୧୭% ଲୋକ ଜଳସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ୨୦୫୦ ବେଳକୁ ୫୧% ବିଶ୍ୱବାସୀ ଭୟଙ୍କର ଜଳଯନ୍ତ୍ରଣା ଭୋଗକରିବାର ଆଶଙ୍କା ରହିଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ବିଶେଷକରି ସହରବାସୀ ଅଧିକ ଜଳକଷ୍ଟ ଭୋଗିବେ। ବିଶ୍ୱରେ ବେଜିଂ, ଜାକର୍ତ୍ତା, ଜୋହାନ୍ସବର୍ଗ , ହଂକଂ, ମକ୍କା, ଇସ୍ତାନ୍‌ବୁଲ, ରିଓ ଡି ଜାନିରୋ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା କରାଯାଉଛି।

Share