ତାଇଓ୍ବାନ ଆକାଶ ମାର୍ଗରେ ୩୦ ଚାଇନା ବିମାନର ଅନୁପ୍ରବେଶ…

ତାଇପେ, ୩୧।୫ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଇୱାନକୁ ସମର୍ଥନ କରିବା ପରେ ଚାଇନା କ୍ରୋଧରେ ଲାଲ ହୋଇଯାଇଛି। ବାଇଡେନଙ୍କ ଘୋଷଣା ପରେ ଚାଇନାର ୩୦ଟି ଯୁଦ୍ଧ ବିମାନ ଏକାସାଙ୍ଗରେ ତାଇୱାନର ଆକାଶ ମାର୍ଗରେ ଅନୁପ୍ରବେଶ କରିଛି। ଚାଇନାର ଯୁଦ୍ଧ ବିମାନ ବିଷୟରେ ସୂଚନା ପାଇବା ମାତ୍ରେ ତାଇୱାନର ବାୟୁ ପ୍ରତିରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ତୁରନ୍ତ ଚେତାବନୀ ଦେବା ପାଇଁ ପାଟ୍ରୋଲିଂ ଯୁଦ୍ଧ ବିମାନ ପଠାଯାଇଥିଲା।

ତାଇୱାନ ମଧ୍ୟ ରେଡିଓ ମାଧ୍ୟମରେ ଚାଇନାର ପାଇଲଟମାନଙ୍କୁ ଚେତାବନୀ ଦେଇଥିଲା। ସେମାନଙ୍କୁ ନିଜ ଅଞ୍ଚଳରୁ ଦୂରେଇ ଯିବାକୁ ପାଇଲଟ ମାନଙ୍କୁ କୁହାଯାଇଥିଲା। ଏହା ପରେ, ତାଇୱାନର ବିମାନଗୁଡ଼ିକ ନିକଟତର ହେବା ଦେଖି ଚାଇନାର ଯୁଦ୍ଧ ବିମାନ ଆକାଶମାର୍ଗ ସୀମାରେ ପଳାଇଥିଲେ।

ତାଇୱାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ମେ ୩୦ରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ବାୟୁସେନାର ୩୦ ଟି ଯୁଦ୍ଧ ବିମାନ ଦକ୍ଷିଣ ପଶ୍ଚିମ ବାୟୁ ପ୍ରତିରକ୍ଷା ଜୋନ୍‌ରେ ଅନୁପ୍ରବେଶ କରିଛି। ସେଥି ମଧ୍ୟରେ ୨ ଟି ଶାନସି କେଜେ-୫୦୦ ଏଡବ୍ଲ୍ୟୁଏସିଏସ୍‌ ବିମାନ, ୪ ଟି ଶାନସି ଓ୍ବାଇ-୮ ପରିବହନ ବିମାନ, ଗୋଟିଏ ଶାନସି ଓ୍ବାଇ-୮ ଆର୍ଲଟ ବିମାନ, ଗୋଟିଏ ଶାନସି ଓ୍ବାଇ-୮ ଆଣ୍ଟି-ବୁଡ଼ାଜାହାଜ ଯୁଦ୍ଧ ବିମାନ, ୬ଟି ଜେ-୧୬ ଯୁଦ୍ଧ ବିମାନ, ୮ଟି ଜେ-୧୧ ଯୁଦ୍ଧ ବିମାନ , ୪ଟି ଜେ-୧୦ ଯୁଦ୍ଧ ବିମାନ, ୨ ସୁଖୋଇ ଏସୟୁ-୩୫ ଏବଂ ୨ ସୁଖୋଇ-୩୦ ଯୁଦ୍ଧ ବିମାନ ଥିଲା।

 

ବାଇଡେନ କହିଥିଲେ ଯେ ଯଦି ଚାଇନା ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସାମରିକ ହସ୍ତକ୍ଷେପ କରିବ। ତାଇୱାନ ଉପରେ ଆମେରିକା ରାଷ୍ଟ୍ରପତିଙ୍କ ବିବୃତ୍ତିକୁ ଚାଇନା ନିନ୍ଦା କରିଥିଲା। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ ବାଇଡେନଙ୍କ ତାଇୱାନ ବିଷୟରେ ଦେଇଥିବା ବିବୃତ୍ତିକୁ ନିନ୍ଦା କରି କହିଥିଲେ ଯେ ଆମେ ଆମେରିକାର ମନ୍ତବ୍ୟକୁ ନିନ୍ଦା ଏବଂ ପ୍ରତ୍ୟାଖ୍ୟାନ କରୁଛୁ। ତାଇୱାନ ଚାଇନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଚାଇନାର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ କୌଣସି ବିଦେଶୀ ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ।

Share