କାଉନ୍‌ସିଲର ପଦବୀରେ ୩୦ ନାମାଙ୍କନ

କାମାକ୍ଷାନଗର, ୮ା୩ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପୌର ନିର୍ବାଚନ ଲାଗି ସୋମବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ନଗରପାଳ ପଦବୀ ଲାଗି ବିଜେଡିର ଧର୍ମାନନ୍ଦ ପରିଡ଼ା, ଭାଜପାର ରଣଜିତ୍‌ ସାହୁ, କଂଗ୍ରେସର ସନ୍ତୋଷ ମହାରଣା ଏବଂ ସ୍ବାଧୀନ ପ୍ରାର୍ଥୀ ଅଭିମନ୍ୟୁ ନାଏକ ନାମାଙ୍କନ ଦାଖଲ କରିଛନ୍ତି। ୧୫ ଓ୍ବାର୍ଡରୁ ମୋଟ ୩୦ କାଉନ୍‌ସିଲର ପ୍ରାର୍ଥୀ ସେମାନଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି।
ନାମାଙ୍କନ ଦାଖଲର ଅନ୍ତିମ ଦିବସରେ ସୋମବାର କଂଗ୍ରେସର ନଗରପାଳ ପ୍ରାର୍ଥୀ ସନ୍ତୋଷ ମହାରଣା ନିଜର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି ୨ନଂ. ଓ୍ବାର୍ଡରୁ ଗୀତାଞ୍ଜଳି ନାୟକ, ୧୨ନଂ. ଓ୍ବାର୍ଡରୁ ମନୋଜ ପରିଡ଼ା, ୧୩ନଂ. ଓ୍ବାର୍ଡରୁ ସୌମ୍ୟରଞ୍ଜନ ଷଣ୍ଢ, ୧୪ନଂ.ରୁ ସ୍ମିତାରାଣୀ ରାଉତ କାଉନ୍‌ସିଲ ପଦବୀ ଲାଗି ମନୋନୟନପତ୍ର ଦାଖଲ କରିଛନ୍ତି। ଏହାକୁ ବାଦ୍‌ଦେଲେ ଅନ୍ୟ ସବୁ ଓ୍ବାର୍ଡ କଂଗ୍ରେସ ପ୍ରାର୍ଥୀ ବିହୀନ ରହିଛି।
ସେହିପରି ପ୍ରାର୍ଥୀ ଚୟନ, ରଣନୀତି ପ୍ରସ୍ତୁତିକୁ ନେଇ ଏନ୍‌ଏସି ଭାଜପାରେ ଅନ୍ତଃକନ୍ଦଳ କୁହୁଳୁଛି। ନଗରପାଳ ପ୍ରାର୍ଥୀ ଦୌଡ଼ରେ ଆଗରେ ଥିବା ଅଶ୍ୱିନୀ କୁମାର ମହାପାତ୍ର ଶେଷ ମୁହୂର୍ତ୍ତରେ ଇସ୍ତଫା ଦେବା ଦଳ ପାଇଁ ଅଡୁଆ ବଢ଼ିଥିଲା। ଏଭଳି ସମୟରେ ରଣଜିତ୍‌ ସାହୁଙ୍କୁ ଦଳ ପକ୍ଷରୁ ନଗରପାଳ ପ୍ରାର୍ଥୀ କରାଯାଇଛି। ସେ ମଧ୍ୟ ସୋମବାର ନିଜ ସମର୍ଥକଙ୍କ ଗହଣରେ ନାମାଙ୍କନ ଭରିଛନ୍ତି। ସେହିପରି ୨ନଂ. ଓ୍ବାର୍ଡରୁ ଜିଲି ମହାଳିକ, ୩ନଂ.ରୁ ମଧୁସ୍ମିତା ସାହୁ, ୪ନଂ.ରୁ ଦ୍ରୁପଦି ରାଉତ, ୫ନଂ.ରୁ ବିମଳ ରାଉତ, ୮ନଂ.ରୁ ଭାରତୀ ମୁଦୁଲି, ୯ନଂ.ରୁ ସୁରେଶ ଚନ୍ଦ୍ର ନାଥ, ୧୦ନଂ.ରୁ ମାଳତୀ ମଲ୍ଲିକ, ୧୧ନଂ.ରୁ କମଳିନୀ ଖୁଣ୍ଟିଆ, ୧୨ନଂ.ରୁ ସିପୁନ ସାହୁ, ୧୩ନଂ. ରାଜେନ୍ଦ୍ର ଷଣ୍ଢ ଏବଂ ୧୪ନଂ.ରୁ ଦୀପ୍ତିମୟୀ ଖୁଣ୍ଟିଆ କାଉନ୍‌ସିଲର ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି। ୧, ୬, ୭ ଏବଂ ୧୫ନଂ. ଓ୍ବାର୍ଡରେ ଭାଜପା କାହାରିକୁ ପ୍ରାର୍ଥୀ ଦେଇନାହିଁ।
ଅପରପକ୍ଷେ କେବଳ ୧୫ନଂ.କୁ ବାଦ୍‌ଦେଲେ ଅନ୍ୟ ସମସ୍ତ ଓ୍ବାର୍ଡରେ ବିଜେଡି ଦଳୀୟ ପ୍ରାର୍ଥୀ ଦେଇଛି। କାରଣ ଏହି ଓ୍ବାର୍ଡର କାଉନ୍‌ସିଲର ପଦବୀ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ଥିବାବେଳେ ଉକ୍ତ ବର୍ଗର କେହିନାହାନ୍ତି। ଶେଷ ଦିନରେ ବିଜେଡିର ୧ନଂ. ଓ୍ବାର୍ଡରୁ ଶୁକଦେବ ସାହୁ ନାମାଙ୍କନ ଦାଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାଧୀନ ଭାବେ ଅଧ୍ୟକ୍ଷ ପଦବୀ ଲାଗି ଅଭିମନ୍ୟୁ ନାଏକ ଏବଂ ୪ନଂ. ଓ୍ବାର୍ଡରୁ ସ୍ବାଧୀନ ଭାବେ ସ୍ବାଗତିକା ନାଏକ ମଧ୍ୟ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।