୩୦ ଏକର ଜଙ୍ଗଲ ପୋଡ଼ିଗଲା

କୋଣାର୍କ,୨୨।୨(ଡି.ଏନ୍‌.ଏ): କୋଣାର୍କ ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ କରମଙ୍ଗା ଇଡିସିରେ ରବିବାର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୩୦ ଏକର ଜଙ୍ଗଲରେ ଥିବା ବହୁ ଝାଉଁ, ଆକାଶିଆ, କାଜୁଗଛ ପୋଡ଼ିଯାଇଛି। ତେବେ ନିଅଁା ଲାଗିବାର କାରଣ ସ୍ପଷ୍ଟ ହୋଇପାରିନାହିଁ।
ସୂଚନା ଅନୁଯାୟୀ, ଅପରାହ୍ନରେ କରମଙ୍ଗା ଇଡିସିରେ ନିଆଁ ଲାଗିଯାଇଥିଲା। ଗଛଲତାଗୁଡ଼ିକ ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ଗୋପ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସିଗାରେଟ କିମ୍ବା ପର୍ଯ୍ୟଟକଙ୍କ ଭୋଜିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଏ ନେଇ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା କହିଛନ୍ତି, କୌଣସି କାରଣରୁ ଜଙ୍ଗଲର କିଛିଅଂଶରେ ନିଆଁ ଲାଗିଯାଇଥିଲା। ତେବେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।