କଟକ-ଭୁବନେଶ୍ୱର ରୋଡର ୩ ବାର୍‌ ସିଲ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଉଚ୍ଚ ବାଦ୍ୟଯନ୍ତ୍ର ଓ ନାଚଗୀତର ଆସର ପାଇଁ ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ବାର୍‌। ରଙ୍ଗିନ୍‌ ହେଉଥିଲା ରାତି। ଖୋଲାଖୋଲି ନିୟମର ଉଲ୍ଲଂଘନ କରାଯାଉଥିଲା। ଏଭଳି ଅଭିଯୋଗ ପାଇବା ପରେ ମଙ୍ଗଳବାର କଟକର ଫ୍ଲାଇଂ ସ୍କ୍ବାଡ୍‌, ଇଆଇବି ଓ ଭୁବନେଶ୍ୱର ଅବକାରୀ ଟିମ୍‌ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ ଉପରେ ଏକକାଳୀନ ଚଢ଼ାଉ କରିଛନ୍ତି। ବିନା ଲାଇସେନ୍‌ସରେ ନାଚଗୀତ ଚାଲୁଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡର ୩ ବାର୍‌ ଯଥା ଲିଭ୍‌-ଇଟ୍‌ ଅପ୍‌, ନସା ଓ ଏକାମ୍ର ବାର୍‌କୁ ଅବକାରୀ ବିଭାଗ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି। ଏହି ୩ ବାର୍‌ର ମ୍ୟୁଜିକ୍‌ ଓ ଡ୍ୟାନ୍ସଫ୍ଲୋର୍‌ ଲାଇସେନ୍ସ ନ ଥିଲା। ସେହିପରି କଟକ ରୋଡ୍‌ସ୍ଥିତ ସେଲ୍ଫି ଓ ଅଶୋକା ଡ୍ୟାନ୍ସ, ଚନ୍ଦ୍ରଶେଖରପୁରସ୍ଥିତ ଏମ୍ବାସି ଏବଂ ୟୁନିଟ୍‌-୮ସ୍ଥିତ ଅଜିତ୍‌ ବାରରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଓ ଅବକାରୀ ଆଇନ ଉଲ୍ଲଂଘନ କରାଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା। ତେଣୁ ଏଗୁଡିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଏଥିସହ ଉକ୍ତ ବାର୍‌ ଗୁଡ଼ିକରେ ନାଚୁଥିବା ୧୫ରୁ ଊର୍ଦ୍ଧ୍ୱ ବଙ୍ଗୀୟ ଯୁବତୀଙ୍କୁ ଅବକାରୀ ଟିମ୍‌ ପଚରାଉଚରା ପରେ ଛାଡ଼ିଦେଇଛି। ଏନେଇ ବାର୍‌ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳଙ୍କୁ ଅବକାରୀ ବିଭାଗ ରିପୋର୍ଟ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଜଧାନୀରେ ବିଭିନ୍ନ ବାରରେ ବିନା ଲାଇସେନ୍ସରେ ଅନେକ ବାର ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏପରିକି ବିନା ଲାଇସେନ୍ସରେ କେତେକ ବାର ବାଦ୍ୟଯନ୍ତ୍ର ବଜେଇବା ସହ ନାଚଗୀତ ଆସର ଜମାଉଥିବା ଅଭିଯୋଗ ହେବା ପରେ ଅବକାରୀ କମିଶନର ଆଶିଷ ସିଂ ଓ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାତି ୧୦ଟା ପରେ କଟକ ଫ୍ଲାଇଂସ୍କ୍ବାଡ୍‌, କଟକର ଇଣ୍ଟେଲିଜେନ୍‌ସ ୟୁନିଟ ଓ ଭୁବନେଶ୍ୱର ଅବକାରୀ ଟିମ୍‌ ମିଳିତ ଭାବେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ ଉପରେ ଚଢ଼ାଉ କରିଥିଲେ।