ତୁର୍କି ଭୁକମ୍ପ: ୬୫ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ବର୍ଷର ଶିଶୁ କନ୍ୟା

ଇସ୍ତାନବୁଲ,୩ ।୧୧: ତୁର୍କିିରେ ଆସିଥିବା ଭୁକମ୍ପ ଫଳରେ ଏବେ ପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହାରି ଭିତରେ ଦୀର୍ଘ ୬୫ ଘଣ୍ଟା ପରେ ଭାଙ୍ଗିଯାଇଥିବା ଘର ମଧ୍ୟରୁ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଜୀବନ୍ତ ଉଦ୍ଧାର କରାଯାଇଛି । ଫାୟାର ଫାଇଟର ସେଲିକ ଏହି ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏହାପରେ ସେ ଗଣମାଧ୍ୟମକୁ କହିଛନ୍ତି ପ୍ରକୃତରେ ଭଗବାନଙ୍କ ଚମତ୍କାର ନ ହେଲେ ଏହା ସମ୍ଭବ ନୁହେଁ । ପ୍ରଥମେ ସେ ଶିଶୁଟିକୁ ମୃତ ବୋଲି ଭାବିଥିଲେ । ଯେତେବେଳେ ସେ ତାଙ୍କ ଓଦା ରୁମାଲରେ ତା’ର ଦେହ ପୋଛି ଦେଇଥିଲେ ସେତେବେଳେ ଶିଶୁଟି ଆଖି ଖୋଲି ତାଙ୍କ ଆଙ୍ଗୁଠିକୁ ଜୋରରେ ଧରିନେଇଥିଲା । ଏହା ଦେଖିବା ପରେ ସେ ନିଜକୁ ବିଶ୍ୱାସ କରି ପାରି ନ ଥିଲେ । କାରଣ ପ୍ରଥମେ ସେ ଭାବିଥିଲେ ଶିଶୁଟି ମରିଯାଇଛି । ଏହାର କିଛି ଘଣ୍ଟା ପୂର୍ବରୁ ତୁର୍କିର ଇଜମିର ସହରରେ ହୋଇଥିବା ଭୁକମ୍ପରେ ଫସି ରହିଥିବା ଜଣେ ୧୪ ବର୍ଷ ବାଳିକାଙ୍କୁ ମଧ୍ୟ ଜୀବନ୍ତ ଉଦ୍ଧାର କରାଯାଇଥିବା ସୂଚନା ରହିଛ । ତେବେ ୧୪ ବର୍ଷ ବାଳିକାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ବର୍ଷ ଶିଶୁଟିର ପରିବାରରୁ କେତେଜଣ ସଦସ୍ୟ ବଞ୍ଚିଯାଇଥିବା କୁହାଯାଉଛି ।

Share