୩ ବର୍ଷ ଅକାମୀ ଥିବା ହାର୍ଟ ପୁଣି କାମ କଲା…

ନୋଏଡ଼ା,୬।୧୦: କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଏବେ ଭାରତରେ ଘଟିଛି। ହାର୍ଟ କାମ କରିବା ବନ୍ଦ କରିବାର ୩ ବର୍ଷ ପରେ ପୁଣି ଚମତ୍କାର ହୋଇଛି। ହାର୍ଟ ପୁଣି ସ୍ବାଭାବିକ ଭାବେ କାମ କରିବା ଆରମ୍ଭ କରିଛି। ନୋଏଡାଠାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୩ ବର୍ଷ ପୂର୍ବେ ଜଣେ ଇରାକ ନାଗରିକଙ୍କ କ୍ଷେତ୍ରରେ ଏହି ଚମତ୍କାର ଘଟିଛି।

ତିନି ବର୍ଷ ଧରି ବ୍ୟକ୍ତି ଜଣକ କୃତ୍ରିମ ହାର୍ଟର ସାହାଯ୍ୟରେ ଜୀବିତ ଥିଲେ, କିନ୍ତୁ ପରେ ତାକୁ ଏବେ ବାହାର କରି ଦିଆଯାଇଛି। ଡାକ୍ତରମାନେ ମଧ୍ୟ ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଡାକ୍ତରଙ୍କ ଅନୁଯାୟୀ ଏହା ଭାରତରେ ପ୍ରଥମ ଘଟଣା। କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କେବଳ ୨ ରୁ ୩ ଟି ଏଭଳି ଘଟଣା ଘଟିଛି। ଯେତେବେଳେ ଜଣଙ୍କର ହାର୍ଟ ଅକାମେୀ ହୋଇଯାଏ ସେତେବେଳେ ତାଙ୍କୁ ମେସିନ ଦ୍ୱାରା ସାଧାରଣତଃ ଜୀବିତ ରଖାଯାଇଥାଏ। ଏହାକୁ ଲାଇଫ୍‌ ସପୋର୍ଟ କୁହାଯାଇଥାଏ।

ସୂଚନା ଅନୁଯାୟୀ, ନୋଏଡାର ଫୋର୍ଟିସ ହାର୍ଟ ଏବଂ ଭାସ୍କୁଲାର ଇନଷ୍ଟିଚ୍ୟୁଟରେ ଏହି ମାମଲା ସାମ୍ନାକୁ ଆସିଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ଅଜୟ କୌଲ। ବ୍ୟକ୍ତିଙ୍କ ନାମ ହନି ଜବାଦ ମହମ୍ମଦ। ସେ ୨୦୧୮ରେ ହସ୍ପିଟାଲକୁ ଆସିଥିଲେ। ହୃଦୟ ପ୍ରତିରୋପଣ ପାଇଁ ହାର୍ଟ ପାଇବା ସହଜ ନ ଥିଲା । ଏଭଳି ପରିସ୍ଥିତିରେ ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏକ କୃତ୍ରିମ ହାର୍ଟ ଅର୍ଥାତ୍‌ ଭେଣ୍ଟ୍ରିକଲ ଆସିଷ୍ଟ ଡିଭାଇସରେ ରଖିଥିଲେ।

ତାଙ୍କ ହାର୍ଟ କାମ କରିବାରୁ ଦୁଇ ସପ୍ତାହ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଚିକିତ୍ସା ପରେ ବ୍ୟକ୍ତି ଜଣକ ଇରାକ ପଳାଇଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ତେବେ ତାଙ୍କୁ ପ୍ରତି ଛଅ ମାସରେ ଚେକଅପ ପାଇଁ ଆସିବାକୁ ପରାମର୍ଶ ଦିଆଯାଇଛି।

Share