ଭିମ୍‌ସାରରେ ୩ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ

ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ଶୁକ୍ରବାର ୩ ଜଣ ହ୍ବାଇଟ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରଗଡ ଜିଲାର ଜଣେ ୫୫ ବର୍ଷର ମହିଳା ଓ ଜଣେ ୫୦ ବର୍ଷର ପୁରୁଷ ଅଛନ୍ତି। ସେହିପରି ଆଉ ଜଣେ ସମ୍ବଲପୁର ଜିଲାର ୫୮ ବର୍ଷର ପୁରୁଷ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ଡାକ୍ତର ଶଙ୍କର ରାମ ଚନ୍ଦାନୀ କହିଛନ୍ତି। ଅନ୍ୟପଟେ ଭିମ୍‌ସାରରେ ୨ଜଣ ବ୍ଲକ୍‌ ଫଙ୍ଗସ୍‌ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ବରଗଡ ଜିଲାରୁ ଆସିଥିବା ବ୍ଲାକ ଫଙ୍ଗସ୍‌ ରୋଗୀ(୪୫)ଙ୍କୁ ଏଣ୍ଡୋସ୍କୋପି ମାଧ୍ୟମରେ ଅପରେଶନ କରାଯାଇଛି। ସେହିଭଳି ଝାରସୁଗୁଡା ଜିଲାରୁ ଅନ୍ୟଜଣେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ (୪୦) ଭିମ୍‌ସରରେ ଚିକିତ୍ସିତ ହେଉଛନ୍ତି। ସେମାନେ କିଭଳି ସୁସ୍ଥ ହେବେ ସେ ନେଇ ଡାକ୍ତରୀ ଟିମ୍‌ ଚେଷ୍ଟା କରୁଛନ୍ତି। ଇଞ୍ଜେକଶନ ଏଠାରେ ନାହିଁ। ଏମ୍ସ ସହିତ ଯୋଗାଯୋଗ କରାଯାଇଛି ବୋଲି ଇଏନ୍‌ଟି ବିଭାଗର ମୁଖ୍ୟ ଡାକ୍ତର ଶୋଭାଗିନୀ ଆଚାର୍ଯ୍ୟ କହିଛନ୍ତି।
ଏ ସମ୍ପର୍କରେ ଭିମ୍‌ସାର ଅଧ୍ୟକ୍ଷ ପ୍ରଫେସର ଲାଲ ମୋହନ ନାଏକ କହିଛନ୍ତି, ୨ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମଧ୍ୟରୁ ବରଗଡର ରୋଗୀ ଜଣଙ୍କ କର୍ଣ୍ଣ ନାସା ଗଳା ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକଶନ ଭିମ୍‌ସାରରେ ଷ୍ଟକ୍‌ ନାହିଁ। ସେ ସୁରତରେ କାମ କରି ଫେରିଥିଲେ। ପୂର୍ବରୁ ଭିମ୍‌ସାରେ କୋଭିଡ୍‌ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ହେଲେ ଗତ ଶନିବାରଠାରୁ ସେ ଭିମସାରରେ ଭର୍ତ୍ତି ହେବା ପରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ଏ ନେଇ ସରକାରଙ୍କୁ ଅବଗତ କରାଯାଇଛି। ସେହିପରି ଶୁକ୍ରବାର ଆଉଜଣେ ରୋଗୀ ଝାରସୁଗୁଡା ଜିଲାରୁ ଆସିଛନ୍ତି। ତାଙ୍କୁ ଭୁବନେଶ୍ୱର ଏମ୍‌ସ କିମ୍ବା ରାଉରକେଲା ଆଇଜିଏଚ୍‌କୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ସେ ଭିମ୍‌ସାରରେ ଚିକିତ୍ସା ହେବାକୁ କହିଥିଲେ। ରୋଗୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି କହିଥିଲେ।