Categories: ଜାତୀୟ

୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଏବଂ ବାରମୁଲ୍ଲା ଜିଲାରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ସମେତ ୩ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୋଇନ୍ଦା ସୂଚନା ପାଇ ସୁରକ୍ଷା ବଳ ବାରମୁଲ୍ଲାର ସୋପୋର ଅଞ୍ଚଳ ଅନ୍ତର୍ଗତ ତୁଲିବାଲ ଗ୍ରାମରେ ତଲାସି ଅଭିଯାନ ଚଳାଇଥିଲା। ଆତଙ୍କବାଦୀ ସୁରକ୍ଷା ବଳ ଉପରକୁ ଗୁଳି ଚଳାଇବାରୁ ସେମାନେ ଏହାର ପାଲଟା ଜବାବ ଦେଇଥିଲେ। ଫଳରେ ତଲାସି ଅଭିଯାନ ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା। ଏଥିରେ ଜଣେ ଅଜଣା ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ପୁଲ୍‌ଓ୍ବାମାର ତୁଜ୍ଜାନ ଅଞ୍ଚଳରେ ଏନ୍‌କାଉଣ୍ଟର ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜୈଶ ଆତଙ୍କବାଦୀ ମଜିଦ ନାଜିର ଅଛନ୍ତି। ସବ୍‌ଇନ୍ସପେକ୍ଟର ଫାରୁକ୍‌ ଅହମଦ ମୀର୍‌ ହତ୍ୟା ସହ ନାଜିର ସମ୍ପୃକ୍ତ ଥିଲେ।

Share