ଆଜିଠୁ ଯୁକ୍ତ୩ ପାଠପଢ଼ା

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଗୁରୁବାରଠାରୁ ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ଯେଉଁ ଛାତ୍ରୀଛାତ୍ର ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି, ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ରଖିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ ଚେୟାରମ୍ୟାନ, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମଧ୍ୟ ଗୁରୁବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଯୁକ୍ତ୨ ଭଳି ଉଚ୍ଚଶିକ୍ଷା ବିଭାଗ ଯୁକ୍ତ୩ ବଳକା ସିଟ୍‌ରେ ନାମଲେଖା ଲାଗି ଛାତ୍ରୀଛାତ୍ରଙ୍କୁ ଆଉଥରେ ଆବେଦନ କରିବାକୁ ଏହି ସୁଯୋଗ ଦେଇଛି। ଯେଉଁ ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିଲେ, ମନୋନୀତ ହୋଇ ନାମ ଲେଖାଇ ନ ଥିଲେ, ଆଦୌ ମନୋନୀତ ହୋଇ ନ ଥିବା ଓ ଆବେଦନ କରି ନ ଥିବା ଛାତ୍ରୀଛାତ୍ର ଏଥିପାଇଁ ଆବେଦନ କରିପାରିବେ। ଗୁରୁବାର ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲରେ ଫର୍ମ ଉପଲବ୍ଧ ହେବ। ୧୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ୨୭ ତାରିଖ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୮, ୨୯ ଏବଂ ୩୧ ତାରିଖ ଅପରାହ୍ନ ୫ଟାରେ ଭିତରେ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ। ନଭେମ୍ବର ୭ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ୯ ରୁ ୧୧ ତାରିଖ ଅପରାହ୍ନ ୫ଟା ମଧ୍ୟରେ ନାମଲେଖା ହେବ।

ରାଜ୍ୟରେ ୧,୦୨୩ ଡିଗ୍ରୀ କଲେଜରେ ମୋଟ ୨,୫୨,୧୬୫ ସିଟ୍‌ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧,୬୦,୮୨୭ଜଣ ନାମଲେଖାଇଛନ୍ତି। ଏବେ ୯୧,୩୩୮ ସିଟ୍‌ ବଳକା ପଡ଼ିଛି। କଳାରେ ୪୦,୨୧୩, ଫିଜିକାଲ ସାଇନ୍ସରେ ୨୦,୯୯୯, ବାୟୋଲୋଜିକାଲ ସାଇନ୍ସରେ ୧୦,୯୬୩, ବାଣିଜ୍ୟରେ ୧୩,୭୩୮, ସେଲ୍ଫ ଫାଇନାନ୍ସିଂରେ ୭୦୬ ଏବଂ ସଂସ୍କୃତରେ ୪,୭୧୯ ସିଟ୍‌ ଖାଲି ପଡ଼ିଛି। ଏସବୁ ସିଟ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ। ତେବେ ୬୩ପ୍ରତିଶତରୁ ଅଧିକ ସିଟ୍‌ ପୂରଣ ହୋଇଥିବାରୁ ପାଠପଢ଼ା ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା।