୩ ସୁରକ୍ଷା କର୍ମୀ ସୁପରଭାଇଜର ବହିଷ୍କୃତ

ତରବୋଡ/ନୂଆପଡା ଅଫିସ,୩୦।୧ (ଡି.ଏନ.ଏ.): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ନାନକରାମ କେଉଁଟ (୨୬)ଙ୍କ କୋଭିଡ୍‌ ଟିକା ଯୋଗୁ ମୃତ୍ୟୁ ଘଟଣାରେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଧାରଣରେ ବସିଥିବା ସୁରକ୍ଷା କର୍ମୀମାନଙ୍କୁ ଏବେ ମହଙ୍ଗା ପଡିଛି। ଏହି ଘଟଣାରେ ସୁରକ୍ଷା କର୍ମୀ ସଂସ୍ଥା ୩ଜଣ ସୁରକ୍ଷା କର୍ମୀ ସୁପରଭାଇଜରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ବେଳେ ୧୪ ଜଣ ସୁରକ୍ଷା କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀ ନାନକରାମ କୋଭିଡ୍‌ ଟିକା କୋଭାକ୍ସିନ ନେଇଥିଲେ। ୨୫ ତାରିଖରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୨୬ ତାରିଖରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁର୍ଲାରୁ ମୃତଦେହ ନୂଆପଡାରେ ପହଞ୍ଚତ୍ବା ପରେ ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୁରକ୍ଷା କର୍ମୀମାନେ ଧାରଣାରେ ବସିଥିଲେ। ଏବେ ଏହା ସୁରକ୍ଷା କର୍ମୀଙ୍କୁ ମହଙ୍ଗା ପଡିଛି। ସୁରକ୍ଷା ସଂସ୍ଥା ପକ୍ଷରୁ ସୁରକ୍ଷା କର୍ମୀ ସୁପରଭାଇଜର ଜୋହନ ଲାଲ ସାହୁ, ଭୂଷଣ ପ୍ରଧାନ, ଚମ୍ପୁଲାଲ ପ୍ରଧାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେହିପରି ୧୪ ସୁରକ୍ଷା କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବେଆଇନ ଭାବେ ପ୍ରଶାସନ ବିରୋଧରେ ଧାରଣା ଦେବା, ସମ୍ପୃକ୍ତ ସଂସ୍ଥା ବିରୋଧରେ ଷଡଯନ୍ତ୍ର କରିବା, କାର୍ଯ୍ୟ ସମୟରେ ନିୟମକୁ ଅବମାନନା କରିବା ଭଳି ଯୁକ୍ତି ଉପସ୍ଥାପନା କରି ସମ୍ପୃକ୍ତ ସଂସ୍ଥା ସୁରକ୍ଷା କର୍ମୀ ସୁପରଭାଇଜର ଓ ସୁରକ୍ଷା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପାଇଁ କ୍ଷତିପୂରଣ ମାଗିବା ନ୍ୟାୟ ସଙ୍ଗତ ନୁହେଁ କି ବୋଲି ସୁରକ୍ଷା କର୍ମୀମାନେ ପ୍ରଶ୍ନ କରିଛନ୍ତି। ଜଣେ ମୃତ ସୁରକ୍ଷା କର୍ମୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଧାରଣାରେ ବସିଥିବାରୁ ତାଙ୍କୁ ଚାକିରିରୁ ବାହାର କରିଦେବା ଦୁର୍ଭାଗ୍ୟ ଜନକ ବୋଲି ସୁରକ୍ଷା କର୍ମୀମାନେ କହିଛନ୍ତି। ସମ୍ପୃକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରିଛନ୍ତି।