Categories: ଜାତୀୟ

ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୋଲିସ୍‌ ଗୁଳିରେ ଗଲା ଲୁଟେରାଙ୍କ ଜୀବନ

ଗୁଆହାଟି,୨୨।୮ : ଆସାମର କୋକ୍ରାଝର ଜିଲାରେ ଏକ ବଡ଼ ଧରଣର ବ୍ୟାଙ୍କ୍‌ ଲୁଟକୁ ବିଫଳ କରି ଦେଇଛି ପୋଲିସ। ଲୁଟ୍‌ କରିବାକୁ ଯାଉଥିବା ୩ ଅଭିଯୁକ୍ତ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି।

କୋକ୍ରାଝାର ସହରଠାରୁ ପ୍ରାୟ ୬ କି. ମି. ଦୂରରେ ଥିବା ଆଲାହାବାଦ୍‌ ବ୍ୟାଙ୍କର ଭୋତଗାଓଁ ଶାଖାରେ ଲୁଟ୍‌ କରିବାକୁ ଯାଉଥିଲେ କିଛି ଦୁର୍ବୃତ୍ତ। ଟିପ୍‌ ଅଫ୍‌ ପାଇ ଘଟଣା ସ୍ଥଳରେ ଆଗୁଆ ପହଞ୍ଚିଥିଲା ପୋଲିସ। ବ୍ୟାଙ୍କ ଠାରୁ ୮୦୦ ମିଟର ଦୂରରେ ଅପରାହ୍ନ ୨ଟା ୩୦ରେ ଦୁର୍ବୃତ୍ତଙ୍କୁ ପୋଲିସ ଅଟକାଇଥିଲା। ପ୍ରଥମେ ଲୁଟେରାମାନେ ଗୁଳି ଚଳାଇ ଥିଲେ, ପୋଲିସ ପକ୍ଷରୁ ଯାହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ୩ ଲୁଟେରା ଗୁରୁତର ହୋଇପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣ ଖସି ପଳାଇଥିଲେ। ସେମାନଙ୍କ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚ ଅପରେଶନ ଜାରି ରହିବ ବୋଲି ଆସାମ ଡିଜିପି ଭାସକରଜ୍ୟୋତି ମହାନ୍ତ କହିଛନ୍ତି।

ଘଟଣାସ୍ଥଳରୁ ୧୪.୫ ଲିଟର ଗ୍ୟାସ ସିଲିଣ୍ଡର, ଲୁହା ରଡ଼, ଦୁଇଟି ୭.୬୫ ଏମ୍‌ଏମ୍‌ ହ୍ୟାଣ୍ଡଗନ ସହିତ ୮ ବୁଲେଟ୍ସ ମିଳିଛି। ଆହତ ଲୁଟେରାଙ୍କୁ କୋକ୍ରାଝର ହସ୍ପିଟାଲ ନିଆଯିବା ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରଶଂସା କରିଛନ୍ତି।

Share