କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ସରକାର, ୩% ବଢିଲା DA

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ଠିକ ପୂର୍ୱରୁ ମୋଦି ସରକାର ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି, ଯେଉଁଥିରେ ମହଙ୍ଗା ଭତ୍ତା ମଧ୍ୟ ସାମିଲ ଥିଲା। କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି କରିବା ସହ ୧୦,୦୧୬ କୋଟି ଟଙ୍କାର ଭତ୍ତାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଏବଂ ପେନସନଭୋଗୀଙ୍କ ପାଇଁ (DR) ରେ ୩ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଫଳରେ ସପ୍ତମ ବେତନ କମିଶନ (7th Pay Commission) ଅଧୀନରେ ଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ହାର ମୂଳ ବେତନର (Basic Pay) ୬୦% ରୁ ବୃଦ୍ଧି ପାଇ ୬୩% ରେ ପହଞ୍ଚିଛି।

ଏହି ସଂଶୋଧିତ ହାର ୧ ଜୁଲାଇ ୨୦୨୬ ରୁ ଲାଗୁ ହେବ, ଯାହା ପାର୍ୱଣ ଋତୁରେ ସରକାରୀ କର୍ମଚାରୀ ତଥା ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଉପହାର । ବୁଧବାର, ଅକ୍ଟୋବର ୨୮ ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୪୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ। DA ଏବଂ DR ବୃଦ୍ଧି ଯୋଗୁଁ ସରକାରୀ ରାଜକୋଷ ଉପରେ ବାର୍ଷିକ ଆନୁମାନିକ ୧୦,୦୧୬ କୋଟି ଟଙ୍କାର ଆର୍ଥିକ ପ୍ରଭାବ ପଡ଼ିବ।

ଯଦି କୌଣସି କର୍ମଚାରୀଙ୍କ ମୂଳ ବେତନ ୧୮,୦୦୦ ହୋଇଥାଏ, ତେବେ ତାଙ୍କୁ ମାସିକ ୫୪୦ ହିସାବରେ ବାର୍ଷିକ ୬,୪୮୦ ର ଅତିରିକ୍ତ DA ମିଳିବ। ଯଦି କାହାର ମୂଳ ବେତନ ୫୬,୧୦୦ ହୋଇଥାଏ, ତେବେ ତାଙ୍କୁ ମାସିକ ୧,୬୮୩ ଅନୁଯାୟୀ ବର୍ଷକୁ ମୋଟ ୨୦,୧୯୬ ର ଲାଭ ମିଳିବ।

Share