୩ ଅଧ୍ୟାଦେଶ, ୫ ବିଲ୍‌ ଉପସ୍ଥାପିତ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ଶୁକ୍ରବାର ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ୩ଟି ଅଧ୍ୟାଦେଶ ଏବଂ ୫ଟି ବିଲ୍‌କୁ ଗୃହରେ ଆଗତ କରାଯାଇଛି। ଆଗତ ଅଧ୍ୟାଦେଶ ମଧ୍ୟରୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଚୁକ୍ତିଭିତ୍ତିକ ଶ୍ରମିକ(ବିନିୟମ ଓ ଉଚ୍ଛେଦ) ଓଡ଼ିଶା ସଂଶୋଧନ ଅଧ୍ୟାଦେଶ-୨୦୨୦ ଏବଂ କମ୍ପାନୀ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ-୨୦୨୦କୁ ଉପସ୍ଥାପନ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପଶୁ ସମ୍ପଦ ବିପଣନ (ବିକାଶ ଓ ସୁଗମତା) ଦ୍ୱିତୀୟ ଅଧ୍ୟାଦେଶ-୨୦୨୦କୁ ଗୃହରେ ଉପସ୍ଥାପନ କରିଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ଓଡ଼ିଶା ଲୋକାୟୁକ୍ତ(ସଂଶୋଧନ) ବିଲ୍‌-୨୦୨୦ ଏବଂ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ବିଲ୍‌-୨୦୨୦ ଗୃହରେ ଉପସ୍ଥାପନ କରିଥିଲେ। ଏହାସହ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା (ସଂଶୋଧନ) ବିଲ୍‌- ୨୦୨୦କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଓଡ଼ିଶା ସାମୁଦ୍ରିକ ପରିଷଦ ବିଲ୍‌-୨୦୨୦କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଓଡ଼ିଶା ଔଦ୍ୟୋଗିକ ଭିିତ୍ତିଭୂମି ଉନ୍ନୟନ ନିଗମ (ସଂଶୋଧନ) ବିଲ୍‌-୨୦୨୦କୁ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ଉପସ୍ଥାପନ କରିଥିଲେ। ଓଡ଼ିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀର ନିୟମ ୧୫-କ ଅନୁଯାୟୀ ବିଧାନସଭାର ଗତ ଅଧିବେଶନରେ ପ୍ରାରମ୍ଭିକ ବୈଠକ ଦିବସ ଅର୍ଥାତ୍‌ ସେପ୍ଟେମ୍ବର ୨୯ ଠାରୁ ରାଜ୍ୟପାଳଙ୍କ ସମ୍ମତି ଲାଭ କରିଥିବା ବିଲ୍‌ ବିଧାନସଭା ସଚିବ ଦାଶରଥି ଶତପଥୀ ଉପସ୍ଥାପନ କରିଥିଲେ। ଶୁକ୍ରବାର ଗୃହରେ ୨୦୨୦-୨୧ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍‌ ଆଗତ ହୋଇଥିବା ବେଳେ ଆସନ୍ତା ୩ ଦିନ ଖର୍ଚ୍ଚ ଦାବି ଆଲୋଚନା ହେବ।