ଗିରଫ ହେଲେଣି ୩ ଓଏଏସ୍‌ ଅଧିକାରୀ

ବାରିପଦା ଅଫିସ,୯।୭ ଦୁର୍ନୀତି ହେଉ ଅଥବା ଲାଞ୍ଚ ମାମଲା। ଗତ କିଛି ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲାର ୩ ଓଏଏସ୍‌(ଓଡ଼ିଶା ପ୍ରଶାସନିକ ସେବା) ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେଣି। ବାରମ୍ବାର ଏଭଳି ଘଟଣା ଘଟୁଥବା ବେଳେ ଦୁର୍ନୀତିଖୋର ଅଧିକାରୀମାନେ ସୁଧୁରୁ ନାହାନ୍ତି।
ଶୁକ୍ରବାର ଜମି ପଟ୍ଟା କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରରୁଅଁା ତହସିଲଦାର ସତ୍ୟ ସୁନ୍ଦର ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କ ନାଁରେ ମାମଲା ରୁଜୁ କରିବା ସହ ଗିରଫ କରିଛି। ୨୦୨୧ ମାର୍ଚ୍ଚ ୨୯ରେ ବାଙ୍ଗରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା ବିପୁଳ ଟଙ୍କା ନେଇ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ୨୦୧୪ରେ ଶାମାଖୁଣ୍ଟା ତହସିଲଦାର ସବିତା ସାହୁ ଇଟାଭାଟି ଅନୁମତି ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ା ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏହି ମାମଲାରେ ତାଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଉପରିସ୍ଥ ଅଧିକାରୀମାନେ ଲାଞ୍ଚ ଟଙ୍କା ନେଇ କାର୍ଯ୍ୟ କରୁଥିବାରୁ ତଳିଆ କର୍ମଚାରୀମାନେ ସେହି ଢ଼ାଞ୍ଚାରେ ପଡ଼ି ଟଙ୍କା ଆଦାୟ କରିବାକୁ ପଛାଉ ନାହାନ୍ତି। ଏପରିକି ବିନା ଟଙ୍କାରେ କୌଣସି ଅଫିସରେ କାଗଜପତ୍ର ଆଗକୁ ଯାଇ ପାରୁନାହିଁ ା ଆଦିବାସୀ ବହୁଳ ଏହି ଜିଲାର ଗରିବ ଲୋକେ ଝାଳବୁହା ଧନକୁ ଦେଇ ନିଜର କାର୍ଯ୍ୟ କରୁଛନ୍ତି। ଏପରିକି ଛାତ୍ରୀଛାତ୍ରଙ୍କ ବାସସ୍ଥାନ ପ୍ରମାଣପତ୍ର, ଜାତି ସାର୍ଟିଫିକେଟ, ଆୟ ପ୍ରମାଣପତ୍ର, ଜମିଜମା ସଂକ୍ରାନ୍ତୀୟ ନୋଟିସ ଆଦି ବିନା ଲାଞ୍ଚରେ କରିବା ଅସମ୍ଭବ ହୋଇପଡ଼ୁଛି। ଏହାକୁ ନେଇ ଜିଲାବାସୀ ଅତିଷ୍ଠ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହେଉଛନ୍ତି। ତଥାପି ଅଧିକାରୀମାନଙ୍କ ଚେତା ପଶୁ ନ ଥିବା ବେଳେ ଲାଞ୍ଛୁଆ ଅଫିସରଙ୍କ ପାଇଁ ଜିଲା ବଦନାମ ହେବାରେ ଲାଗିଛି।
ଗତ ମାସକ ମଧ୍ୟରେ ଅନ୍ୟ ୩ ଅଧିକାରୀ ମଧ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜୁନ ୧୭ରେ ବଡ଼ସାହି ବିଇଓ ଅଫିସର କିରାଣି ବିକ୍ରମ ବେହେରା ୧୫ହଜାର ଓ ୨୯ରେ ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କିରାଣି ୨୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜିଲାରେ ଥିବା ଶିକ୍ଷା, ସ୍ବାସ୍ଥ୍ୟ ଓ ଉନ୍ନୟନ କାର୍ଯ୍ୟାଳୟ ଗୁଡ଼ିକର ଅଧିକାରୀମାନେ ତଳିଆ କର୍ମଚାରୀଙ୍କୁ ହାତବାରିସି କରି ଟଙ୍କା ଆଦାୟ କରିବାର ନଜିର ରହିଛି। ଧରାପଡ଼ିଲେ ତଳିଆ କର୍ମଚାରୀ ଚାକିରି ହରାଉଥିବା ବେଳେ ଉପରିସ୍ଥ ଅଧିକାରୀମାନେ ଭିଜିଲାନ୍ସ ଆଖିରେ ଧୂଳି ଦେଇ ଖସି ପଳାଇବାରେ ସକ୍ଷମ ହେଉଛନ୍ତି। ଜିଲାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀମାନେ ଦୃଷ୍ଟି ଦେବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ା