ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ୨ ଭଳି ଯୁକ୍ତ୩ରେ ନାମଲେଖାଇବାରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କୁ ଆଉଥରେ ଆବେଦନ କରିବାକୁ ସୁଯୋଗ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ ଚେୟାରମ୍ୟାନ ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଦିଆଯାଇଛି। ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଯେଉଁ ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଚୟନ ହୋଇ ନାମ ଲେଖାଇଥିଲେ କିମ୍ବା ମନୋନୀତ ହୋଇ ମଧ୍ୟ ନାମ ଲେଖାଇ ନ ଥିଲେ, ଯେଉଁମାନେ ଆଦୌ ମନୋନୀତ ହୋଇ ନ ଥିଲେ ଏବଂ ବିଭିନ୍ନ କାରଣରୁ ଯେଉଁ ଛାତ୍ରୀଛାତ୍ରମାନେ ଆବେଦନ କରିପାରି ନ ଥିଲେ, ସେମାନେ ହିଁ ଏହି ପର୍ଯ୍ୟାୟ ପାଇଁ ଆବେଦନ କରିପାରିବେ। ଏହି ନାମଲେଖା ପାଇଁ ଆସନ୍ତା ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲରେ ଫର୍ମ ଉପଲବ୍ଧ ହେବ। ଏହି ସମୟଠାରୁ ୧୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ୨୭ ତାରିଖ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୮, ୨୯ ଏବଂ ୩୧ ତାରିଖ ଅପରାହ୍ନ ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ର ନାମଲେଖାଇବେ। ସେହିଭଳି ନଭେମ୍ବର ୭ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ୯ରୁ ୧୧ ତାରିଖ ଅପରାହ୍ନ ୫ଟାରେ ଏହି ମନୋନୀତ ଛାତ୍ରୀଛାତ୍ର ନାମଲେଖାଇବେ।
ସୂଚନାଯୋଗ୍ୟ, ରାଜ୍ୟରେ ୧,୦୨୩ ଡିଗ୍ରୀ କଲେଜରେ ମୋଟ ୨,୫୨,୦୧୩ ସିଟ୍‌ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧,୬୧,୧୭୯ଜଣ ନାମଲେଖାଇଛନ୍ତି। ଏବେ ୯୦,୮୩୪ ସିଟ୍‌ ବଳକା ପଡ଼ିଛି। କଳାରେ ୪୦,୦୧୪ ସିଟ୍‌ ଖାଲି ପଡ଼ିଥିବାବେଳେ ଫିଜିକାଲ ସାଇନ୍ସରେ ୨୦,୮୪୫, ବାୟୋଲୋଜିକାଲ ସାଇନ୍ସରେ ୧୦,୮୬୩, ବାଣିଜ୍ୟରେ ୧୩,୭୦୪, ସେଲ୍ଫ ଫାଇନାନ୍ସିଂରେ ୬୯୮ ଏବଂ ସଂସ୍କୃତରେ ୪,୭୧୦ ସିଟ୍‌ ଖାଲି ପଡ଼ିଛି। ଏହିସବୁ ବଳକା ସିଟ୍‌ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ତେବେ ବର୍ତ୍ତମାନ ସୁଦ୍ଧା ୬୩ ପ୍ରତିଶତରୁ ଅଧିକ ସିଟ୍‌ ପୂରଣ ହୋଇଯାଇଥିବାରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।