ଧାମନଗର ଉପଡାକଘର ସହ ଯୋଡ଼ିହେଲା ଆଉ ୩ ଶାଖା ଡାକଘର

ଧାମନଗର,୧୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଉପଡାକଘର ସହ ଆଉ ୩ଟି ଶାଖା ଡାକଘର ଯୋଡ଼ି ହୋଇଛି। ଏହାକୁ ମିଶାଇ ମୋଟ ଧାମନଗର ଉପଡାକଘର ସଂଖ୍ୟା ୧୭ରେ ପହଞ୍ଚିଛି। ମିଶ୍ରିତ ୩ ଡାକଘର ହେଲା ଦିହୁଡ଼ି ଆନନ୍ଦପୁର, କଣ୍ଟାପାରୀ ଓ ମମଦୁଲା। ଏହି ୩ ଡାକଘର ଧାମନଗର ଅଞ୍ଚଳରେ ହୋଇଥିଲେ ମଧ୍ୟ ଯାଜପୁର ଜିଲା ଦଶରଥପୁର ଉପଡାକଘର ଅଧୀନରେ କାର୍ଯ୍ୟ କରିଆସୁଥିଲା। ଦଶରଥପୁରରୁ ବାହାର କରାଯାଇ ଧାମନଗର ଉପଡାକଘର ସହ ଯୋଡ଼ିବା ଲାଗି ଓଡ଼ିଶା ମହାଡାକପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତବର୍ଷ ଚିଠି ହୋଇଥିଲା। ଗତବର୍ଷ ଏପ୍ରିଲରେ ମହାଡାକପାଳଙ୍କ ଭୁବନେଶ୍ବର କାର୍ଯ୍ୟାଳୟ ଯାଜପୁର ପୋଷ୍ଟାଲ ଡିଭିଜନ, ଭଦ୍ରକ ଡିଭିଜନ, ଦଶରଥପୁର ଉପଡାକଘର ଓ ଧାମନଗର ଉପଡାକଘରକୁ ଚିଠି କରିବା ସହ ତୁରନ୍ତ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ତିନି ଡାକଘରେ ଥିବା ସମସ୍ତ ଜମାକାରୀଙ୍କ ଜମାବହି ସେ ଉପଡାକଘରୁ ଏ ଉପଡାକଘରକୁ ଆଣିବାକୁ ପଡ଼ିଲା। ସେହିପରି ୱେବସାଇଟରେ ପ୍ରଦର୍ଶନ ଲାଗି ପ୍ରୋଗ୍ରାମିଂ କରାଗଲା। ଶେଷରେ ଚଳିତମାସ ୨ ତାରିଖରେ ତିନି ଡାକଘରକୁ ଧାମନଗର ସହ ଯୋଡ଼ିବା ଲାଗି ସମସ୍ତ ପ୍ରକ୍ରିୟା ସରିଥିବା ନେଇ ଓଡ଼ିଶା ମହାଡାକପାଳଙ୍କ ପକ୍ଷରୁ ସମସ୍ତ ବିଭାଗ, ଦୁଇ ଉପଡାକଘର, ଦୁଇ ଡିଭିଜନ ଓ ତିନି ଉପଡାକଘରକୁ ଜଣାଇ ଦିଆଯାଇଥିଲା। ବିଭାଗୀୟ ଚିଠି ଆସିବା ପରେ ୯ ତାରିଖରୁ ତିନି ଡାକଘରେ କୌଣସି ପ୍ରକାର କାରବାର ସାମୟିକ ବନ୍ଦ ରହିଛି। କେବଳ ଜରୁରୀ କାରବାର ଚାଲୁ ଅଛି। ଆସନ୍ତା ୧୩ ତାରିଖରୁ ତିନି ଡାକଘରୁ ଚିଠି ଦଶରଥପୁର ବଦଳରେ ଧାମନଗର ଉପଡାକଘରକୁ ପଠାଇବା ଲାଗି କୁହାଯାଇଛି। ଏହାସହ ତିନି ଡାକଘର ଉପରେ ନିର୍ଭର କରୁଥିବା ଲୋକେ ପିନ୍‌କୋଡ୍‌ ୭୫୫୦୦୬ ପରିବର୍ତ୍ତେ ୭୫୬୧୧୭ ଲେଖିବେ। ଦଶରଥପୁର ଉପଡାକଘର ଅଧୀନରେ ଥିବାରୁ ଲୋକେ ବହୁତ ହଇରାଣ ହେଉଥିଲେ। ଦୀର୍ଘଦିନ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବାରୁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି।