ପାଟଣା,୧୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଭାଜପା ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପାଟଣା ବିଧାୟକ ଓ ସଙ୍ଗଠନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ ବୃଦ୍ଧି ପାଉଥିବା ଆଲୋଚନା ହେଉଛି। ଫଳରେ ଦଳ ମଧ୍ୟରେ ଆଭ୍ୟନ୍ତର ବିଶୃଙ୍ଖଳା ଓ ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି। ୩ ଭାଜପା ମଣ୍ଡଳ ସଭାପତି ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଏ ନେଇ ଶନିବାର ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତଙ୍କୁ ଜିଲା ଭାଜପା କାର୍ଯ୍ୟାଳୟରେ ଭେଟି ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପାଟଣା ମଣ୍ଡଳ ସଭାପତି ବ୍ରଜ ସେଠୀ, କେନ୍ଦେଇପଶି ମଣ୍ଡଳ ସଭାପତି ଜୁଲିଅସ ସିଂ, କ୍ଷୀରେଇ ଟାଙ୍ଗିରୀ ମଣ୍ଡଳ ସଭାପତି ମନୋଜ ମହାନ୍ତ ଏପ୍ରିଲ ୭ ତାରିଖରେ ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ତୁରୁମୁଙ୍ଗାସ୍ଥିତ ବାସଭବନକୁ ରାମନବମୀ ଓ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ। ଏହି ଅବସରରେ ୩ ମଣ୍ଡଳ ସଭାପତି ବିଜେଡିର କର୍ମକର୍ତ୍ତାଙ୍କୁ କାମ ନ ଦେବାକୁ ଅନୁରୋଧ କରିଥିଲେ। ଫଳରେ ବିଧାୟକ ଉତ୍କ୍ଷିପ୍ତ ହୋଇ ଦୁର୍ବ୍ୟବହାର କରିବା ସହ ଘରୁ ତଡ଼ିଦେଇଥିଲେ। ପରେ ୩ ମଣ୍ଡଳ ସଭାପତି ଫୋନ୍ ଯୋଗେ ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ ଓ ପୂର୍ବତନ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶନିବାର ୩ ମଣ୍ଡଳ ସଭାପତି କେନ୍ଦୁଝର ପାର୍ଟି କାର୍ଯ୍ୟାଳୟରେ ସଭାପତିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ସହ ୩ ମଣ୍ଡଳ ସଭାପତିଙ୍କ ମତାନ୍ତର ପରେ ଗତ ଗୁରୁବାର ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଶର୍ବି ଦାଶଙ୍କ ଅଧ୍ୟକ୍ଷତାରେ ପାଟଣା ବୈତରଣୀ ନଦୀକୂଳରେ ୩ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ଘଟଣା ଦଳ ମଧ୍ୟରେ ଅସନ୍ତୋଷକୁ ପ୍ରଶମିତ କରିବା ଓ ସମନ୍ବୟ ପାଇଁ ଏକ କାର୍ଯ୍ୟକ୍ରମ ବୋଲି ସାଧାରଣରେ ଆଲୋଚନା ହେଉଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କହିଛନ୍ତି, ସେମାନେ ଘରକୁ ଆସିବା କଥା ସତ୍ୟ। କିନ୍ତୁ ସେମାନଙ୍କୁ ଦୁର୍ବ୍ୟବହାର କରିବା ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ସେମାନେ ମୋର କାର୍ଯ୍ୟକର୍ତ୍ତା ସଙ୍ଗଠନ ଦାୟିତ୍ୱରେ ଅଛନ୍ତି, ସେ କାହିଁକି ସେମାନଙ୍କୁ ଅସମ୍ମାନ କରିବେ ବୋଲି କହିଥିଲେ। ଏ ନେଇ ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ କହିଛନ୍ତି, ସେ ଭେଟି ଘଟଣା ସମ୍ପର୍କରେ ଜଣାଇଛନ୍ତି। ବିଧାୟକ ଏବେ ପୁରୀରେ, ସେ ଫେରିଲେ ପୂର୍ଣ୍ଣ ବାତାବରଣରେ ଉପଯୁକ୍ତ ସମୟ ଓ ସ୍ଥାନରେ ଆଲୋଚନା କରିବେ।


