Categories: ଜାତୀୟ

ଭାରତରେ ୩ ଜୈଶ୍‌ ଆତଙ୍କବାଦୀ: ଟାର୍ଗେଟ୍‌ରେ ଦିଲ୍ଲୀ

ନୂଆଦିଲ୍ଲୀ, ୨୦।୮: ଭାରତରେ ୩ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଦିଲ୍ଲୀ ସହିତ କେତେକ ଭିଆଇପିଙ୍କୁ ସେମାନେ ଟାର୍ଗେଟ୍‌ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଗୁୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା ଲାଗି ସେମାନେ ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆତଙ୍କବାଦୀଙ୍କ ନାମ ଗୁଲଜାନ, ଜୁମାନ ଖାଁ ଏବଂ ଶକିଲ ଅହମ୍ମଦ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଆତଙ୍କବାଦୀମାନେ ଜୈଶ୍‌ ମୁଖ୍ୟ ମୁଫ୍‌ତି ଅବ୍ଦୁଲ ରଉଫ୍‌ ଅସଗରଙ୍କ ନିକଟତମ ସହଯୋଗୀ ବୋଲି କୁହାଯାଉଛି। ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଇଶାରାରେ ଜୈଶ୍‌ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେମାନେ ପାକିସ୍ତାନରେ ତାଲିମ୍‌ ନେବା ପରେ ଜମ୍ମୁ-କଶ୍ମୀରର ସିଆଲକୋଟ୍‌ ସେକ୍ଟର ବାଟେ ଭାରତରେ ଅନୁପ୍ରବେଶ କରିଛନ୍ତି। ସେମାନଙ୍କ ପାଖରେ ଆଫଗାନିସ୍ତାନ ନାଗରିକତା ପ୍ରମାଣ ପତ୍ର ରହିଛି। ୨ ଜଣ କଶ୍ମୀର ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟି ଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି।

Share