ନୂଆଦିଲ୍ଲୀ: ୧୯ା୬: ପ୍ରତିଷ୍ଠିତ ‘କ୍ୟୁଏସ୍ ୱାଲର୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ ୨୦୨୭’ର ତାଲିକା ଗୁରୁବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୩ଟି ଭାରତୀୟ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ଚଳିତ ବର୍ଷ ଆଇଆଇଟି ଦିଲ୍ଲୀ ଦେଶର ସର୍ବୋଚ୍ଚ ର଼୍ୟାଙ୍କିଙ୍ଗ୍ ବିଶ୍ୱବିଦ୍ୟାଳୟ ଭାବେ ଉଭାହୋଇଛି। ବିଶ୍ୱସ୍ତରରେ ଏହା ୫ଟି ସ୍ଥାନ ଉପରକୁ ଉଠି ୧୧୮ତମ ମାନ୍ୟତା ହାସଲ କରିଛି। ଏହା ପଛକୁ ଆଇଆଇଟି ବମ୍ବେ ୧୩୪ତମ ଏବଂ ଆଇଆଇଟି ମାଡ୍ରାସ ୧୭୦ତମ ସ୍ଥାନରେ ରହିଛନ୍ତି। ସାମଗ୍ରିକ ଭାବେ ଚଳିତ ବର୍ଷ ତାଲିକାରେ ଭାରତରୁ ରେକର୍ଡ ସଂଖ୍ୟକ ୫୨ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି। ତେବେ ଗବେଷଣା, ଭିତ୍ତିଭୂମି ଏବଂ ଅନ୍ତର୍ଜାତୀୟ ଶିକ୍ଷାବିତ୍ଙ୍କ ସଂଖ୍ୟା ମାପଦଣ୍ଡରେ ପଛରେ ରହିବାରୁ ଚଳିତ ଥର ମଧ୍ୟ ବିଶ୍ୱର ଶ୍ରେଷ୍ଠ ୧୦୦ ମଧ୍ୟରେ କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରବେଶ କରିପାରି ନାହାନ୍ତି। ରିପୋର୍ଟ ଅନୁଯାୟୀ, ଗବେଷଣା ପ୍ରଭାବ କ୍ଷେତ୍ରରେ ଆଇଆଇଟି ଦିଲ୍ଲୀ ଓ ମାଡ୍ରାସ ଏବଂ ନିଯୁକ୍ତି କ୍ଷେତ୍ରରେ ଆଇଆଇଟି ବମ୍ବେ ବିଶ୍ୱସ୍ତରୀୟ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷେ ଆମେରିକାର ମାସାଚ୍ୟୁସେଟ୍ସ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଏମ୍ଆଇଟି) କ୍ରମାଗତ ଭାବେ ୧୫ତମ ବର୍ଷ ପାଇଁ ବିଶ୍ୱରେ ପ୍ରଥମ ସ୍ଥାନ ବଜାୟ ରଖିଛି।