Categories: ଖେଳ

ଦିନିକିଆରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୩୦।୬- ଟୁର୍ନାମେଣ୍ଟ କିମ୍ବା ସିରିଜ ସାରା ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥାଏ। ଜଣେ ଖେଳାଳିର ସର୍ବଦା ଏହି ସମ୍ମାନଜନକ ପୁରସ୍କାର ପ୍ରତି ଦୁର୍ବଳତା ରହିଥାଏ। ଯେଉଁ ଖେଳାଳି ପୁରା ଟୁର୍ନାମେଣ୍ଟରେ ଲଗାତର ଉଲ୍ଲେଖନୀୟ ପ୍ରଦର୍ଶନ କରିଥାନ୍ତି ଶେଷରେ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପାଇଁ ମନୋନୀତ କରାଯାଇଥାଏ। ଯଦି ଏହି ଖେଳାଳିଙ୍କ ଦଳ ସିରିଜ ଜିତିଛି ତେବେ ପୁରସ୍କାର ଆହୁରି ସ୍ବତନ୍ତ୍ର ହୋଇଯାଏ। ସାଧାରଣତଃ କ୍ରିକେଟ୍‌ ଖେଳରେ ବ୍ୟାଟିଂ ଓ ବୋଲିଂ ଉଭୟରେ ଦକ୍ଷତା ରଖୁଥିବା ଖେଳାଳିମାନେ ହିଁ ମ୍ୟାନ୍‌ ଅଫ୍‌ ଦି ପୁରସ୍କାର ପାଇବା ପାଇଁ ସହଜ ହୋଇଯାଇଥାଏ। ଏହି ପରିପ୍ରେକ୍ଷୀରେ ଦିନିକିଆ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଜଣ ଖେଳାଳି ହେଲେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ। ତେନ୍ଦୁଲକର ଦିନିକିଆରେ ମୋଟ୍‌ ୧୫ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ହାସଲ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ୪୬୩ ମ୍ୟାଚ୍‌ ଖେଳିଥିବା ସଚିନ ଶେଷଥର ପାଇଁ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏହି ପୁରସ୍କାର ଲାଭ କରିଥିଲେ। ସିରିଜରେ ସେ ମୋଟ୍‌ ୨୦୪ ରନ କରିଥିଲେ। ଯେଉଁଥିରେ ଏକ ଦ୍ୱିଶତକୀୟ ପାଳି ସାମିଲ ରହିଛି। ଦିନିକିଆ କ୍ରିକେଟ୍‌ରେ ଏହା ସର୍ବପ୍ରଥମ ଦ୍ୱିଶତକୀୟ ପାଳି ଥିଲା। ସେହିଭଳି ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ରହିଥିବା କୋହଲି ଦିନିକିଆରେ ୯ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଶେଷଥର ପାଇଁ ସେ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ତୃତୀୟ ଭାରତୀୟ ଭାବେ ଯୁବରାଜ ଦିନିକିଆରେ ସର୍ବାଧିକ ୭ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ଟ୍ରଫି ଜିତିଛନ୍ତି। କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ନେଇସାରିଥିବା ଯୁବରାଜ ୨୦୦୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମଥର ଲାଗି ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ଜିତିଥିଲେ। ପାକିସ୍ତାନ ଓ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ଯୁବି ୨ଥର ଲେଖାଏ ଏହି ସମ୍ମାନଜନକ ଟ୍ରଫି ହାସଲ କରିଛନ୍ତି।

Share