ଘରୁ ଜବତ ହେଲା ବାର୍‌ହା ମାଂସ, ଗିରଫ ହେଲେ ୩ ଶିକାରୀ

ନାକଟିଦେଉଳ,୫ା୭(ଡି.ଏନ୍‌.ଏ.): ନାକଟିଦେଉଳ ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନାକଟିଦେଉଳ ଥାନା ଜଗନ୍ନାଥପ୍ରସାଦ ଗ୍ରାମ ଶବରପଡ଼ାର ବାବୁଲା ଶବର(୪୫), ହରି ଶବର(୩୫) ଓ କମାର ଶବର(୫୦)। ସେମାନଙ୍କଠାରୁ ୫ଶହ ଗ୍ରାମ ବାର୍‌ହା ମାଂସ ଜବତ ହୋଇଛି।

ମିଳିଥିବା ସୂଚନା ମୁତାବକ, ରବିବାର ଏହି ତିନି ଜଣ ଶିକାରୀ ଜଙ୍ଗଲରୁ ଏକ ବାର୍‌ହା ଶିକାର କରି ଲୋକଙ୍କୁ ମାଂସ ବିକ୍ରି କରିଥିଲେ। ଏହି ସୂଚନା ପାଇବା ପରେ ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ୱିନୀ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ରବିବାର ସନ୍ଧ୍ୟାରେ ଶବରପଡ଼ାରେ ଚଢାଉ କରିଥିଲେ। ଏହି ସମୟରେ ବାବୁଲାଙ୍କ ଘରୁ ବାର୍‌ହା ମାଂସ ଓ ଏକ ଦେଶୀ ବନ୍ଧୁକ ଜବତ କରିଥିଲେ। ବାବୁଲାଙ୍କୁ ଗିରଫ ପରେ ତାଙ୍କ ବୟାନ ଆଧାରରେ ହରି ଓ କମାରଙ୍କୁ ଗିରଫ କରାଯାଇଛି। ଗିରଫ ତିନି ଜଣଙ୍କୁ ମଙ୍ଗଳବାର ରେଢାଖୋଲ କୋର୍ଟ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି। ନାକଟିଦେଉଳ ଫରେଷ୍ଟର ଅନୀଲ କୁମାର କିଷାନଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ଼ ସୁଭଦ୍ରା ରାଉଳ ଓ ଅଜୟ ହରୋଙ୍କ ସମେତ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ।