ଚୁଲି ନିଆଁରେ ପାଉଁଶ ହେଲା ୩ ବଖରା

ପାପଡାହାଣ୍ଡି,୭।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ଚାନ୍ଦିଲି ଗ୍ରାମରେ ନିଆଁ ଲାଗି ଭୁଜ ଗୌଡ଼ଙ୍କ ୩ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଚୁଲିରୁ ନିଆଁ ଉଠି ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସୋମବାର ବଳମ୍ବିତ ରାତିରେ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରର ଆସବା ପତ୍ର ସହ ଧାନ, ଚାଉଳ ଆଦି ପୋଡି ନଷ୍ଟ ହୋଇଯାଇଛି। ଏପରି କି ଗୁହାଳରେ ନିଆଁ ଲାଗିଥିଲେ ମଧ୍ୟ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ଖବର ପାଇ ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭୁଜ ଗରିବ ଶ୍ରେଣୀର ହୋଇଥିବା ବେଳେ କୁଲି କାମ କରି ପରିବାର ଚଳାଉଥିଲେ। ନିଆଁରେ ଘର ନଷ୍ଟ ହୋଇଯାଇଥିବାରୁ ସେ ଭାଙ୍ଗି ପଡିଛନ୍ତି। ଏନେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।