ପୁଣି ୩ ବିଦେଶ ଫେରନ୍ତା ଓମିକ୍ରନ୍‌ ସଂକ୍ରମିତ, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୮…

ଅହମଦାବାଦ, ୧୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଗୁଜୁରାଟରେ ୩ ଜଣ ବିଦେଶ ଫେରନ୍ତାଙ୍କଠାରେ ଓମିକ୍ରନ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଏବଂ ୧୫ ବର୍ଷର ବାଳକ ଅଛନ୍ତି। ଏହା ସହ ରାଜ୍ୟରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଆକ୍ରାନ୍ତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଆକ୍ରାନ୍ତଙ୍କୁ ବିଭିନ୍ନ ଡାକ୍ତରଖାନାରେ ରଖାଯାଇଛି। ତିନି ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇଜଣ ବ୍ରିଟେନରୁ ଏବଂ ଜଣେ ଦୁବାଇରୁ ଫେରି ଆସିଥିଲେ। ଗାନ୍ଧିନଗର ମ୍ୟୁନିସିପାଲିଟି କମିଶନର ଧୱଲ ପଟେଲ କହିଛନ୍ତି ଯେ ଶନିବାର ଗାନ୍ଧିନଗରର ଜଣେ ୧୫ ବର୍ଷର ବାଳକ ବ୍ରିଟେନରୁ ଫେରିବା ପରେ ଓମିକ୍ରନ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତିି।

ଏହି ୩ ଜଣଙ୍କ ଚିହ୍ନଟ ପରେ ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବର୍ତ୍ତମାନ ୧୪୮ରେ ପହଞ୍ଚିଛି। ଆନନ୍ଦ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଏମ.ଟି ଛାରୀ କହିଛନ୍ତି ଯେ ସେମାନଙ୍କ ନମୁନା ପରୀକ୍ଷା ପରେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଡିସେମ୍ବର ୧୫ରେ ବ୍ରିଟେନରୁ ଆସିବା ପରେ ଅହମଦାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏନଆରଆଇ ଜଣଙ୍କ ଆରଟି- ପିସିଆର୍‌ ପରୀକ୍ଷା କରିଥିଲେ। ଯାହା ପରେ ପଜିଟିଭ୍‌ ବୋଲି ଜଣାପଡିଛି। ରାଜ୍ୟରେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ମଧ୍ୟରୁ ଜାମନଗରର ତିନିଜଣ, ସୁରଟ ଏବଂ ଭଦୋଦରର ଦୁଇଜଣ ଲେଖାଏଁ ଏବଂ ଗାନ୍ଧିନଗର, ମେହସାନା ଏବଂ ଆନନ୍ଦଙ୍କ ମଧ୍ୟରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି। ଜାମନଗରରେ ଚିହ୍ନଟ ଥିବା ତିନି ଜଣ ଆକ୍ରାନ୍ତଙ୍କୁ ଇତିମଧ୍ୟରେ ଡିସଚାର୍ଜ କରାଯାଇଛି।

Share