ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ମ୍ୟାଚ୍ରେ ପୁଣି ଚର୍ଚ୍ଚାରେ ପାକିସ୍ତାନୀ ଫିଲ୍ଡିଂ। ଏକ ସହଜ କ୍ୟାଚ ଧରିବାକୁ ଯାଇ ୩ ଜଣ ଖେଳାଳି ଏପରି ଗୋଲମାଳ କଲେ ଯେ, ଶେଷରେ ବଲ ହାତରୁ ଖସି ତଳେ ପଡ଼ିଗଲା। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଓମାନରେ ଚାଲିଥିବା ଅଣ୍ଡର-୧୯ ମେନ୍ସ ଏସିଆ କପ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ-ଏ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିଲା। ଭାରତୀୟ ଇନିଂସର ୪୫ତମ ଓଭରର ତୃତୀୟ ବଲ୍ରେ କାବ୍ୟ ପଟେଲ ଏକ ଶଟ ଖେଳିଥିଲେ। ବଲ୍ଟି ପିଚ ନିକଟରେ ଉପରକୁ ଉଠିଥିଲା। ପାକିସ୍ତାନ ପାଖରେ ଏକ ସହଜ କ୍ୟାଚ ଧରି ଭାରତର ଶେଷ ଉଇକେଟ ନେବାର ସୁଯୋଗ ଥିଲା।
କିନ୍ତୁ ଏହି ସୁଯୋଗକୁ ପାକିସ୍ତାନୀ ଫିଲ୍ଡରମାନେ ହାତଛଡ଼ା କରିଥିଲେ। ବୋଲର ମହମ୍ମଦ ସୟ୍ୟାମ କ୍ୟାଚ ଧରିବା ପାଇଁ ଆଗକୁ ଆସିଥିବା ବେଳେ ତାଙ୍କ ପାଖରେ ଆଉ ଜଣେ ଫିଲ୍ଡର ମଧ୍ୟ ପହଞ୍ଚିଥିଲେ। ସେହିପରି ଉଇକେଟ କିପର ହମଜା ଜହୁର ମଧ୍ୟ କ୍ୟାଚ ଧରିବା ପାଇଁ ଦୌଡ଼ି ଆସିଥିଲେ।
ତିନି ଜଣ ଖେଳାଳି ବଲ ଧରିବା ପାଇଁ ଆଗକୁ ଆସିଥିଲେ ମଧ୍ୟ କେହି କ୍ୟାଚ ନେଇପାରିନଥିଲେ। ବଲ ଧରିବାକୁ ହାତ ବଢ଼ାଇଥିବା ସୟ୍ୟାମ ଶେଷ ମୁହୂର୍ତ୍ତରେ ହାତ ପଛକୁ ଟାଣି ନେଇଥିଲେ। ଫଳରେ ବଲ୍ଟି ତିନି ଜଣଙ୍କ ମଝିରେ ତଳେ ପଡ଼ିଯାଇଥିଲା। ଏହାଦ୍ୱାରା ଭାରତୀୟ ବ୍ୟାଟରଙ୍କୁ ଜୀବନଦାନ ମିଳିଥିଲା। ପାକିସ୍ତାନୀ ଫିଲ୍ଡରଙ୍କ ଏହି ଭୁଲ୍କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଯାଇଛି। ଫିଲ୍ଡିଂରେ ଏଭଳି ଭୁଲ କରିଥିଲେ ମଧ୍ୟ ବୋଲିଂରେ ପାକିସ୍ତାନୀ ଦଳର ପ୍ରଦର୍ଶନ ଭଲ ରହିଥିଲା। ଭାରତୀୟ ଦଳ ୫୦ ଓଭର ପୂର୍ବରୁ ମାତ୍ର ୨୦୮ ରନ୍ରେ ଅଲଆଉଟ ହୋଇଯାଇଥିଲା।
ଭାରତ ମାତ୍ର ୮୬ ରନ୍ରେ ୫ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହି ସମୟରେ ଅର୍ଜୁନ ରାଜପୁତ ଦମ୍ଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ସେ ମାତ୍ର ୮୫ଟି ବଲ୍ରୁ ୧୦୭ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ତେବେ ଅର୍ଜୁନ ଆଉଟ ହେବା ପରେ ଭାରତୀୟ ଇନିଂସ ପୁଣି ଥରେ ଭୁଶୁଡ଼ି ପଡ଼ିଥିଲା।
ପାକିସ୍ତାନ ପକ୍ଷରୁ ଅଲି ରଜା ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ଏଭଳି ଭାବେ ବୋଲିଂରେ ଭଲ ପ୍ରଦର୍ଶନ କରିଥିବା ପାକିସ୍ତାନୀ ଦଳ ଫିଲ୍ଡିଂର ଏକ ଅଜବ ଭୁଲ ପାଇଁ ଚର୍ଚ୍ଚାକୁ ଆସିଛି।
“Pehle aap, pehle aap” thoda bhaari pad gaya 😬
Watch India vs Pakistan in the DP World Men’s U19 Asia Cup, LIVE NOW on Sony Sports Network TV channels & Sony LIV.
#SonySportsNetwork #SonyLIV #INDvPAK https://t.co/lVWCzOsacl
— Sony Sports Network (@SonySportsNetwk) November 8, 2026