ଅସ୍ଥାୟୀ ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ନୟାଗଡ଼,୩।୮(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ଶରଣକୁଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡ଼କର ଡିମିଶର ପନ୍ଦାରିଛକସ୍ଥିତ ଦୁଆଣ୍ଟ ପୋଲ ଭାଙ୍ଗିବାର ୨୦ ମାସ ବିତି ଯାଇଛି । ହେଲେ ସରକାର ପୋଲ ନିର୍ମାଣ କରିବାରେ ସକ୍ଷମ ହେଲେ ନାହିଁ । ଏଭଳି ସ୍ଥଳେ ମଙ୍ଗଳବାର ସନ୍ଧ୍ୟାରୁ ଲାଗି ରହିଥିବା ଲଗାଣ ବର୍ଷାରେ ପୋଲ ନିକଟରେ ହୋଇଥିବା ଅସ୍ଥାୟୀ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ଗୋଡିପଡ଼ା ସମେତ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଛି। ଅନ୍ୟପକ୍ଷେ ପୋଲ ନିର୍ମାଣ ପାଇଁ ଏକ ସୂଚନା ଫଳକ ଝୁଲୁଥିଲେ ମଧ୍ୟ କାମ ଆରମ୍ଭ ହେଉନି । ନିର୍ମାଣ ବିଭାଗ ପକ୍ଷରୁ ୧୧.୪୬ କୋଟି ଟଙ୍କା ପୋଲ ନିର୍ମାଣ ପାଇଁ ଅଟକଳ କରାଯାଇଛି । ୧୯।୨।୨୦୨୫ରେ ପୋଲ କାର୍ଯ୍ୟ ଶେଷ ହେବ ବୋଲି ଉଲ୍ଲେଖ ରହିଛି ।
ପ୍ରାୟ ୪୦ ବର୍ଷ ତଳେ ତକତ୍ାଳୀନ ରଣପୁର ବିଧାୟକ ରମାକାନ୍ତ ମିଶ୍ର ଦୁଆଣ୍ଟ ନଦୀର ପୋଲକୁ ଉଦ୍‌ଘାଟନ କରିଥିଲେ । ପୋଲଟି ବହୁ ବର୍ଷର ପୁରୁଣା ହୋଇଥିଲେ ହେଁ ଭଲ ଥିଲା । ବାଲି ଚୋରମାନେ ନଦୀର ଶଯ୍ୟା ଖୋଳି ବାଲି ନେଇ ଯିବା ପରେ ବନ୍ୟା ଜଳ ପୋଲର ରାଫ୍ଟ ଫାଉଣ୍ଡେଶନର ପାର୍ଶ୍ୱରେ ଗତ୍ତର୍ର୍ କରି ରହିଥିଲା । ରାଫ୍ଟ ଫାଉଣ୍ଡେଶନର ଗତ୍ତର୍ର୍କୁ ମରାମତି ନେଇ ସ୍ଥାନୀୟ ଲୋକ ଦାବି କରିଥିଲେ ହେଁ ପୂର୍ତ୍ତ ବିଭାଗ ଅଣଦେଖା କରିଥିଲା । ଫଳରେ ପୋଲଟି ୨୦୨୧ ଡିସେମ୍ବର ୨୯ରେ ଦବି ଯାଇଥିଲା । ସରକାର ପୋଲକୁ ବିପଦସଙ୍କୁଳ ଘୋଷଣା କରି ଚୁପ ରହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପୋଲ ନିକଟରେ ନଦୀ ମଧ୍ୟରେ ପୂର୍ତ୍ତ ବିଭାଗ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିଲା । ତେବେ ବର୍ଷା ହେଲେ ସଂଯୋଗ ରାସ୍ତା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥାଏ । ଏଣୁ ଗୋଡିପଡ଼ା, ଡମସାହି, ପଞ୍ଚୁମୁ, ଭାଲିଆଡିହି ପରି ୧୫ ପଞ୍ଚାୟତର ୨ଶହରୁ ଊର୍ଦ୍ଧ୍ୱ ଗଁା ବିଛିନ୍ନ ହୋଇ ରହୁଛି । ମଙ୍ଗଳବାର ସନ୍ଧ୍ୟାରୁ ଲଗାଣ ବର୍ଷା ଲାଗି ରହିବାରୁ ବନ୍ୟା ଜଳ ଅସ୍ଥାୟୀ ରାସ୍ତା ଉପରେ ଚାଲିଛି । ଅଳ୍ପ କେତେକ କାର, ଜିପ୍‌, ଆମ୍ବୁଲାନ୍ସ, ଅଟୋରିକ୍ସା ବିପଦସଙ୍କୁଳ ଭାବେ ପାଣି ଭିତରେ ଯାତାୟତ କରୁଛନ୍ତି । ତେବେ ଅସ୍ଥାୟୀ ରାସ୍ତା କଟ୍‌ ଅପ୍‌ ହୋଇଗଲେ ପୁରା ଗୋଡିପଡ଼ା ଓ ଆଖପାଖ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇ ଯିବ । ବନ୍ୟା ଜଳ ଯେଉଁ ଭାବେ ବଢ଼ୁଛି ରାତିରେ ଅସ୍ଥାୟୀ ରାସ୍ତା କଟ୍‌ଅପ୍‌ ହୋଇଯିବାର ସମ୍ଭାବନା ରହିଛି ।
ଏନେଇ ଗୋଡିପଡ଼ା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ, ସାମାଜିକ କର୍ମୀ ରବି ନାରାୟଣ ଦାଶ, ପୂର୍ବତନ ଡିମଶର ସରପଞ୍ଚ ସତ୍ୟବାନ ନାୟକ, ଭିକାରୀ ଜେନା ଓ ସୂର୍ଯ୍ୟମଣି ନାୟକ, ପଞ୍ଜୁମୁ ର ପୂର୍ବତନ ସରପଞ୍ଚ କୁବେର ବିଶୋଇ କୁହନ୍ତି,ପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇ ଚାଲିଛି । ବର୍ଷା ହେଲେ ଗୋଡିପଡ଼ା ଓ ଆଖପାଖ ପଞ୍ଚାୟତରୁ ବିଚ୍ଛିନ୍ନ ହୋଇ ରହୁଛି । ଏବେ ସେହି ପରିସ୍ଥିତି ସୃଷ୍ଟି ହୋଇଛି । ଗୋଡିପଡ଼ା କଲେଜକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଛାତ୍ରୀଛାତ୍ର ହଇରାଣ ହେବେ । ପୁଣି ପନିପରିବା ଓ ଅନ୍ୟାନ୍ୟ କ୍ଷେତ୍ରରେ ଗୋଡିପଡ଼ା ଉପରେ ନିର୍ଭର କରୁଥିବା ଲୋକ ଚିନ୍ତାରେ ପଡିଛନ୍ତି ା ସରକାର ମଞ୍ଜୁର କରିଥିବା ଅର୍ଥରେ ଶୀଘ୍ର ପୋଲ କାମ ଆରମ୍ଭ ହେଉ ବୋଲି ସେମାନେ ଦାବି କରିଛନ୍ତି ା
ଡିମିଶର ଦୁଆଣ୍ଟ ନଦୀ ପାଖରେ ଟେଷ୍ଟ ଫାଇଲର ଲୋଡ ଟେଷ୍ଟ ହେବାରେ ବିଳମ୍ବ ଯୋଗୁ ପୋଲ କାମ ଆରମ୍ଭ ହୋଇ ପାରୁ ନ ଥିବା ସୂଚନା ମିଳିଛି ।ଏନେଇ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଭିଷେକ ଓଝା କୁହନ୍ତି, ନଦୀ ପାଖରେ ନିର୍ମାଣ କରାଯାଇଥିବା ଟେଷ୍ଟ ଫାଇଲର ଲୋଡ ଟେଷ୍ଟ ହୋଇଗଲେ ପୋଲ କାମ ଆରମ୍ଭ ହେବ । ତେବେ ଟିକେ ସମସ୍ୟା ଯୋଗୁ ଡେରି ହୋଇ ଯାଇଛି । ସେହି କାମ କିପରି ଶୀଘ୍ର ଶେଷ ହେବ ସେ ନେଇ ଗୁରୁତ୍ୱ ଦିଆଯାଉଛି । ଅନ୍ୟପକ୍ଷେ ପୋଲ ପାଖ ନଦୀ ଭିତର ସଂଯୋଗ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ନେଇ ଅବଗତ ନ ଥିଲି । ଆମେ ନଜର ରଖିଛୁ । ବନ୍ୟାଜଳ ହ୍ରାସ ପାଇବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।