ସଂସ୍କୃତ ପରୀକ୍ଷା ଦେଉଥିବା ୩ ନକଲି ପରୀକ୍ଷାର୍ଥୀ ଜେଲଗଲେ

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୧୭ା୧୦(ପ୍ରଦୀପ୍ତ କୁମାର ପୃଷ୍ଟି/ଗିରିଜା ପ୍ରସାଦ ସାହୁ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସାଉଡିଆସ୍ଥିତ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟ ରେ ଯୁକ୍ତ ୩ ପ୍ରଥମ ବର୍ଷ ପରୀକ୍ଷା ଚାଲିଥିବା ବେଳେ ୩ ଜଣ ନକଲି ପରୀକ୍ଷାର୍ଥୀ ଧରାପଡି ଗିରଫ ହୋଇଛନ୍ତି। ଏ ସଂକ୍ରାନ୍ତରେ ବାଲିଚନ୍ଦ୍ରପୁର ଥାନା ପୋଲିସ ଏକ ମାମଲା( ନଂ.୩୫୮/୨୩) ରୁଜୁ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ସେମାନଙ୍କ ଜାମିନ ଖାରଜ ହେବାପରେ ସମସ୍ତଙ୍କୁ ରଗଡ଼ି ସବ୍‌ଜେଲକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଟିମୁଣ୍ଡା ପଞ୍ଚାୟତ ସାରଙ୍ଗ ଗ୍ରାମର ଦୁର୍ଗା ମାଧବ ପୃଷ୍ଟି,(୨୨), ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗ୍ରାମର ସୁନନ୍ଦା ସାହୁ (୨୨), ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରପଦା ଗ୍ରାମର ମନୀଷା ପରିଡ଼ା (୨୦) ।
ପୋଲିସର ସୂଚନା ଅନୁଯାୟୀ, ସୋମବାର ଯୁକ୍ତ ୩ ପ୍ରଥମ ବର୍ଷର ଶାସ୍ତ୍ରୀ ପରୀକ୍ଷା ସାଉଡିଆ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ ଚାଲିଥିଲା। ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଧୀନରେ ହେଉଥିବା ଏହି ପରୀକ୍ଷାରେ ସ୍କ୍ବାଡ଼ ଭାବେ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ.ଶ୍ରୀନିବାସ ପଣ୍ଡା ଆସି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ଏହି ସମୟରେ ପରୀକ୍ଷାର୍ଥୀ ଦୁର୍ଗା ମାଧବ ପୃଷ୍ଟିଙ୍କ ପାଇଁ ସୁନନ୍ଦା ସାହୁ ଓ ମୋହନ କୁମାର ସାହୁଙ୍କ ପାଇଁ ମନୀଷା ପରିଡ଼ା ପରୀକ୍ଷା ଦେଉଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସେ ବାଲିଚନ୍ଦ୍ରପୁର ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚତ୍ ଡ.ପଣ୍ଡାଙ୍କ ଅଭିଯୋଗକ୍ରମେ ୩ ଜଣଙ୍କୁ ଗିରଫ କରିଥିଲା। ତେବେ ଆଶ୍ଚର୍ଯ୍ୟର କଥା ୨ ଛାତ୍ରଙ୍କ ପାଇଁ ୨ ଛାତ୍ରୀ କିପରି ପରୀକ୍ଷା ଦେଲେ ଓ ପରୀକ୍ଷା ପରିଚାଳକ କିପରି ପରୀକ୍ଷା କେନ୍ଦ୍ରକୁ ସେମାନଙ୍କୁ ପ୍ରବେଶ ଅନୁମତି ଦେଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ପରୀକ୍ଷା କେନ୍ଦ୍ର ଯୋଗୁ ବହୁ ମେଧାବୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନଷ୍ଟ ହେଉଥିବା ବୁଦ୍ଧିଜୀବୀମାନେ କହିଛନ୍ତି।