ଯୁକ୍ତ୩ ନାମଲେଖା ଶେଷ

ଭୁବନେଶ୍ୱର, ୨୮।୮(ଅସମାପିକା ସାହୁ) :  ୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ଚତୁର୍ଥ ପର୍ଯ୍ୟାୟ ନାମଲେଖା ସୋମବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୩୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ ଲେଖାଇଥିବା ଜଣାପଡିଥିଲେ ମଧ୍ୟ ମୋଟ କେତେ ସଂଖ୍ୟକ ଛାତ୍ରୀଛାତ୍ର ନାମଲେଖାଇଲେ ତାହା ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ଇ-ସ୍ପେସ୍‌ରେ ଅପ୍‌ଲୋଡ୍‌ ହେବା ପରେ ସ୍ପଷ୍ଟ ହେବ। ତେବେ ନାମଲେଖା ବିଳମ୍ବ ହେବାରୁ ଗତ ୨୧ତାରିଖରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମବର୍ଷ ପାଠପଢ଼ା ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ, ରାଜ୍ୟର ମୋଟ ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ସିଟ୍‌ ଥିବାବେଳେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୧,୨୭,୦୯୧ଜଣ ନାମ ଲେଖାଇଥିଲେ ଓ ୧,୪୩,୦୭୨ଟି ସିଟ୍‌ ବଳକା ପଡ଼ିଥିଲା। ଏଥିମଧ୍ୟରୁ କଳାରେ ୬୮,୪୧୭, ପଦାର୍ଥ ବିଜ୍ଞାନରେ ୩୦,୬୨୨, ଜୈବ ବିଜ୍ଞାନରେ ୧୬,୮୫୯, ବାଣିଜ୍ୟରେ ୨୦,୦୪୧, ସେଲ୍‌ଫ ଫାଇନାନ୍ସିଂରେ ୧,୨୫୩ ଏବଂ ସଂସ୍କୃତରେ ୫,୮୮୦ ସିଟ୍‌ ଖାଲି ପଡ଼ିଥିଲା। ତେଣୁ ଏହି ବଳକା ସିଟ୍‌ରେ ଗତ ୨୫ ତାରିଖରୁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଥିଲା।