୩ ପର୍ଯ୍ୟଟନସ୍ଥଳୀର ହେବ ବିକାଶ

ବାରିପଦା ଅଫିସ,୧୮ା୩: ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ଅନୁଧ୍ୟାନକାରୀ ଦଳ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଜିଲାର ତିନୋଟି ପର୍ଯ୍ୟଟନସ୍ଥଳୀକୁ ଯାଇ ଏହାର ସ୍ଥିତାବସ୍ଥା ପରଖିବା ସହିତ ପୁନରୁଦ୍ଧାର ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ଜିଲା ଗସ୍ତ ପରେ ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିବାରୁ ଜିଲାବାସୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି ।
ଜିଲାର ତିନୋଟି ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡ, ଭୀମକୁଣ୍ଡ ଓ ଖିଚିଂ ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରର ରୂପାନ୍ତରୀକରଣ ଓ ବିକାଶ ନିମନ୍ତେ ବିଭାଗ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି। ଏହି ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନତିକରଣ ଓ ସୌର୍ନ୍ଦ୍ୟକରଣ ନିମନ୍ତେ ୧୮କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ କରାଯାଇଛି ା ପ୍ରକଳ୍ପ ନିର୍ମାଣକୁ ନେଇ ବିଭାଗୀୟ ଇଞ୍ଜିନିୟର ଓ ଆର୍କିଟେକ୍ଟର ଏକ ବିଶେଷଜ୍ଞଙ୍କ ଦଳ ଶୁକ୍ରବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଆଲୋଚନା କରିଛନ୍ତି । ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି, ଜିଲା ପର୍ଯ୍ୟଟନ ଅଧିକାରୀ ତନୁଜା ସିର୍କା ପ୍ରମୁଖ ଉପସ୍ଥିତ ଥିଲେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନିଆଯାଇଛି। ସେମାନଙ୍କ ସୁବିଧା ନିମନ୍ତେ ପିକ୍‌ନିକ ସ୍ଥାନ ନିର୍ମାଣ, ପାର୍କ, ଖାଇବା ପାଇଁ ରେଷ୍ଟୁରାଣ୍ଟ ଓ କାଫେ, ରାତ୍ରି ଆଶ୍ରୟସ୍ଥଳୀ, ଗମନାଗମନ ରାସ୍ତାର ପ୍ରଶସ୍ତିକରଣ, ଆଲୋକୀକରଣ ଆଦି ବ୍ୟବସ୍ଥା କରିବା ସହ ଗାଇଡ ବ୍ୟବସ୍ଥା କରିବା ଆଦି ରହିଛି । ଏହି ଦଳରେ ପର୍ଯ୍ୟଟନ ବିଭାଗର ଭାରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ. ସୁନୀଲ ବେହେରା ଓ ବିଏମ୍‌ୟୁ ମୁଖ୍ୟ ଲୋକେଶ କୁମାରଙ୍କ ସହିତ ଦୁଇ ଜଣ ଆର୍କିଟେକ୍ଟର ଜିଲା ଗସ୍ତରେ ଆସିଛନ୍ତି। ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ବୁଲି ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ରିପୋର୍ଟ ସଂଗ୍ରହ କରି ପ୍ରଦାନ କରିବେ ବୋଲି ଜଣାପଡିଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି ।