୪୩ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ ପାରଦ ପୁଣି ଉପରମୁହଁା ହୋଇଛି। ୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ଟପି ଯାଇଥିବା ବେଳେ ୧୭ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ସୂଚନା ମୁତାବକ ମଙ୍ଗଳବାର ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୩.୬, ହୀରାକୁଦ ୪୩.୩, ରାଉରକେଲା ୪୨.୪, ବରଗଡ଼ ୪୨.୧, ବାରିପଦା ୪୨, ଭୁବନେଶ୍ୱର ୪୧.୯, ସୋନପୁର ୪୧.୮, ବଲାଙ୍ଗୀର ୪୧.୭, ସୁନ୍ଦରଗଡ଼ ୪୧.୨, ମାଲକାନଗିରି ୪୧.୮, ନୂଆପଡ଼ା ୪୧, ଟିଟିଲାଗଡ଼ ୪୦.୫, ଭବାନୀପାଟଣା ୪୦.୫, ଚାନ୍ଦବାଲି ୪୦.୨, ଜଗତ୍‌ସିଂହପୁରରେ ୪୦.୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ୧୧ ତାରିଖ ଯାଏ ତାତି ଆହୁରି କଲବଲ କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ବିଳମ୍ବ ହେବାରେ ଲାଗିଛି। ପାଗ ଅନୁକୂଳ ହେଉ ନ ଥିବାରୁ ମୌସୁମୀ ପ୍ରବେଶ ଗଡ଼ି ଗଡ଼ି ଯାଉଛି। ଆସନ୍ତା ୧୫ ତାରିଖ ଯାଏ ରାଜ୍ୟକୁ ମୌସୁମୀ ପ୍ରବେଶର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୧୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହୋଇପାରେ। ପ୍ରବଳ ଗରମ ହେଉଥିଲେ ମଧ୍ୟ ସମୁଦ୍ରରେ ଘୂର୍ଣ୍ଣିବଳୟ ଯୋଗୁ ବାୟୁ ପ୍ରବାହ ସ୍ଥଳଭାଗ ପରିବର୍ତ୍ତେ ସମୁଦ୍ରକୁ ବହୁଛି। ଫଳରେ ମୌସୁମୀ ପାଇଁ ପାଗ ଅନୁକୂଳ ହେଉ ନ ଥିବା ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି। ତେବେ ମୌସୁମୀ ନିର୍ଦ୍ଧାରିତ ସମୟରୁ ଅଳ୍ପ କିଛିଦିନ ବିଳମ୍ବ ହୋଇପାରେ। କେରଳ ଛୁଇଁବା ପରେ ଓଡ଼ିଶାକୁ କେବେ ଆସିବ ସେ ନେଇ କୁହାଯାଇପାରିବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌.ଆର. ବିଶ୍ୱାସ କହିଛନ୍ତି।