କରୋନା, ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ ଚିନ୍ତା ବଢ଼ାଉଛି ‘ବୋନ୍‌ ଡେଥ୍‌’

ମୁମ୍ବାଇ,୫।୭: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଆତଙ୍କ ଖେଳାଇବା ପରେ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଛି। ଇତିମଧ୍ୟରେ ଆଉ ଏକ ନୂଆ ସଙ୍କଟ ସାମ୍ନାକୁ ଆସିଛି। ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ କରୋନାରୁ ଠିକ୍‌ ହୋଇଥିବା ରୋଗୀଙ୍କ ମଧ୍ୟରେ ଏଭେସ୍କ୍ୟୁଲାର ନେକ୍ରୋସିସ୍‌ ବା ବୋନ୍‌ ଡେଥ୍‌ର ନୂଆ ମାମଲା ଦେଖିବାକୁ ମିଳିଛି। ଏହି ନୂଆ ରୋଗରେ ଲୋକଙ୍କ ଶରୀର ହାଡ଼ ତରଳୁଥିବା ଜଣାପଡ଼ିଛି। ଜଂଘର ହାଡ଼ରେ ଅତ୍ୟଧିକ ଯନ୍ତ୍ରଣା ଏହାର ଲକ୍ଷଣ। ଯାହା ଏବେ ଡାକ୍ତରଙ୍କ ଚିନ୍ତା ବଢ଼ାଇଛି। ଆଗକୁ ଏହି ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ଓ ବ୍ଲାକ୍‌ ଫଙ୍ଗସ୍‌ର ଆତଙ୍କ ପରେ ଏବେ ବୋନ୍‌ ଡେଥ୍‌ର ୩ଟି ମାମଲା ଚିହ୍ନଟ ହୋଇଛି। ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଏହି ୩ଜଣ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଉକ୍ତ ୩ଜଣ ରୋଗୀ ପେଶାରେ ଡାକ୍ତର ଥିବା ବେଳେ ସେମାନଙ୍କ ବୟସ ୪୦ବର୍ଷରୁ ବି କମ୍‌ ରହିଛି। କରୋନାରୁ ସୁସ୍ଥ ହେବାର ପ୍ରାୟ ୨ମାସ ପରେ ଜଣେ ୩୬ ବର୍ଷୀୟ ରୋଗୀଙ୍କ ନିକଟରେ ଏଭେସ୍କ୍ୟୁଲାର ନେକ୍ରୋସିସ୍‌ ବା ବୋନ୍‌ ଡେଥ୍‌ ଲକ୍ଷଣ ଦେଖାଦେଇଥିଲା। ସେହିପରି ଅନ୍ୟ ୨ଜଣ ରୋଗୀଙ୍କୁ ୫୫ ଓ ୫୭ ଦିନ ପରେ ଜଘଂର ହାଡ଼ରେ ଯନ୍ତ୍ରଣା ହୋଇଥିଲା। ଡାକ୍ତରଙ୍କୁ ପରାମର୍ଶ କରିବା ପରେ ଜଣାପଡ଼ିଥିଲା ଯେ, ଏହା ବୋନ୍‌ ଡେଥ୍‌ ଲକ୍ଷଣ। ଏହାପରେ ତାଙ୍କର ଯାଞ୍ଚ କରାଯାଇ ଚିକିତ୍ସା କରାଯାଇଥିଲା। ସୂଚନାଯୋଗ୍ୟ, କରୋନା ଚିକିତ୍ସାରେ ଆକ୍ରାନ୍ତଙ୍କୁ ଷ୍ଟେରୋଏଡ୍‌ ଦିଆଯାଉଛି। ଯାହାର ପ୍ରଭାବରେ ବ୍ଲାକ୍‌ ଫଙ୍ଗସ୍‌ ଓ ବୋନ୍‌ ଡେଥ୍‌ ଭଳି ରୋଗ ଉତ୍ପନ୍ନ ହେଉଛି ବୋଲି ହିନ୍ଦୁଜା ହସ୍ପିଟାଲର ମେଡିକାଲ ନିର୍ଦ୍ଦେଶକ ଡା. ସଞ୍ଜୟ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି।

Share