ମୋବାଇଲ ଲୁଟେରା ଗ୍ୟାଙ୍ଗ୍‌ର ୩ ଗିରଫ

ଭୁବନେଶ୍ୱର,୧୪।୪ (ବ୍ୟୁରୋ): ମୋଟରସାଇକେଲରେ ପଛରୁ ଆସି ହାତରୁ ମୋବାଇଲ ଫୋନ୍‌ ଝାମ୍ପିନେଇ ଫେରାର ହୋଇଯାଉଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଶହୀଦନଗର ଥାନା ପୋଲିସ ଧରିବାରେ ସଫଳ ହୋଇଛି। ଏଥିସହ ଗ୍ୟାଙ୍ଗ୍‌ର ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ରାଜୁ ଓରଫ ଫାରାଜ ଖାନ, ରାଜା ଓରଫ ସାହିଦ ଖାନ୍‌ ଓ ଧଉଳିର ସାଗର ଶମ୍ଭୁ ବରାଳ। ସେମାନଙ୍କଠାରୁ ୧୦ ମୋବାଇଲ ଜବତ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି ପୋଲିସ।
ସୂଚନାନୁସାରେ, ସାହିଲ ନାମକ ଜଣେ ଯୁବକ ଆଚାର୍ଯ୍ୟବିହାରସ୍ଥିତ ଓମ୍‌ଫେଡ୍‌ ଦୋକାନ ଆଗରେ ଠିଆ ହୋଇ ଫୋନ୍‌ରେ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତ ଫାରାଜ ଓ ସାହିଦ ଏକ ବାଇକ୍‌ରେ ଆସି ତାଙ୍କର ମୋବାଇଲ ଫୋନ୍‌ଟିକୁ ଛଡାଇ ନେଇ ପଳାଇଥିଲେ। ଏନେଇ ସାହିଲ ଶହୀଦନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିବା ସହ ଶାନ୍ତିପଲ୍ଲୀ ବସ୍ତିରୁ ଉଭୟ ଅଭିଯୁକ୍ତଙ୍କୁ ବାଇକ୍‌ ସହିତ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନଙ୍କ ଗ୍ୟାଙ୍ଗ୍‌ ସମ୍ପର୍କରେ ଜଣାପଡିଥିଲା।