ଭଞ୍ଜନଗର,୨୨।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ବୁଧବାର ପାଟ୍ରୋଲିଂ କରୁଥିବା ସମୟରେ ୨ ଦେଶୀ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟୀ, ପାଟ୍ରୋଲିଂ ବେଳେ ମା’ ସୋରଦେବୀ ମନ୍ଦିର ନିକଟରେ ୨ ଜଣ ଯୁବକଙ୍କ ଉପରେ ପୋଲିସର ସନ୍ଦେହ ହୋଇଥିଲା। ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ବେଳେ ସେମାନଙ୍କ ନିକଟରୁ ୨ ଦେଶୀ ବନ୍ଧୁକ ଜବତ କରିଥିଲା। ଯୁବକମାନେ ହେଲେ ଭଞ୍ଜନଗରର ଶଙ୍କର ସ୍ବାଇଁ ଏବଂ ପିଣ୍ଟୁ ସ୍ବାଇଁ। ପରେ ସେମାନଙ୍କଠାରୁ ଜବତ ବନ୍ଧୁକ ସମ୍ପର୍କରେ ଅଧିକ ପଚରାଉଚରା କରିବାରୁ ସେମାନେ ଦିବାକର ପଟ୍ଟନାୟକଙ୍କଠାରୁ ଉକ୍ତ ବନ୍ଧୁକ କିଣିଥିବା ସୂଚନା ଦେଇଥିଲେ। ଏହାପରେ ସମସ୍ତ ୩ ଜଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଭଞ୍ଜନଗର ଥାନାରେ ୧୧୬୫/୨୫ରେ ଏକ ମାମଲା ରୁଜୁ ହୋଇଥିବା ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।


