Categories: ଜାତୀୟ

ବିବିସି ଅଫିସରେ ୨ୟ ଦିନ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୧୬ା୨: ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ବୁଧବାର ଆୟକର (ଆଇଟି) ବିଭାଗ ପକ୍ଷରୁ ପୁନର୍ବାର ଚଢ଼ାଉ କରାଯାଇଛି। ମଙ୍ଗଳବାରଠାରୁ ଚାଲିଥିବା ଏହି ଚଢ଼ାଉ ବେଳେ ଅଧିକାରୀମାନେ ଚ୍ୟାନେଲ୍‌ର କେତେଜଣ ଷ୍ଟାଫ୍‌ଙ୍କୁ ପଚରାଉଚରା ସହ ଇଲେକ୍ଟ୍ରୋନିକ ଓ ଦସ୍ତାବିଜଭିତ୍ତିକ ଡେଟା ସଂଗ୍ରହ କରିଛନ୍ତି।

ଭାରତରେ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟର୍‌ ଟିକସ ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୩୦ରେ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଓ ମୁମ୍ବାଇର ସାଣ୍ଟାକ୍ରୁଜ୍‌ରେ ଥିବା ବିବିସି ଅଫିସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ ଚାଲିଥିଲା। ଏହାକୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ଗଣମାଧ୍ୟମ ପ୍ରତି ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ କଠୋର ମନୋଭାବ ଯୋଗୁ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ଭାରତ ୧୫୦ତମ ସ୍ଥାନକୁ ଖସିଆସିଥିବା କଂଗ୍ରେସ ମିଡିଆ ବିଭାଗ ମୁଖ୍ୟ ପବନ ଖେରା ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷେ ଆମେରିକା ସାରା ବିଶ୍ୱରେ ଅଭିବ୍ୟକ୍ତି ଏବଂ ଗଣମାଧ୍ୟମ ସ୍ବାଧୀନତାର ଗୁରୁତ୍ୱକୁ ସମର୍ଥନ କରେ ବୋଲି ଏହାର ପରରାଷ୍ଟ୍ର ବିଭାଗ କହିଛି। ବିବିସି ଅଫିସ ଉପରେ ଆଇଟି ବିଭାଗର ତଥାକଥିତ ସର୍ଭେକୁ ନେଇ କୌଣସି ରାୟ ଦେବାକୁ ବିଭାଗୀୟ ମୁଖପାତ୍ର ନେଡ୍‌ ପ୍ରାଇସ୍‌ ମନା କରିଦେଇଛନ୍ତି।
ପ୍ରକାଶ ଯେ, ଜାନୁୟାରୀ ୧୭ ଓ ୨୪ରେ ବିବିସି ପକ୍ଷରୁ ‘ଇଣ୍ଡିଆ: ଦି ମୋଦି କ୍ୱେଶ୍ଚେନ୍‌’ ଟାଇଟଲରେ ଦୁଇଟି ଡକ୍ୟୁମେଣ୍ଟାରି ପ୍ରସାରଣ କରାଯାଇଥିଲା। ଏଥିରେ ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରାଯାଇଥିଲା। ୟୁଟ୍ୟୁବ୍‌ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବିବିସି ଡକ୍ୟୁମେଣ୍ଟାରିର ପ୍ରସାରଣ ଉପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାନ୍‌ ଲଗାଯିବା ପରେ ଅଫିସଗୁଡ଼ିକରେ ଚଢ଼ାଉ ହେଉଛି କେନ୍ଦ୍ରର ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ। ଡକ୍ୟୁମେଣ୍ଟାରି ପ୍ରସ୍ତୁତି ଯୋଗୁ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିରୋଧୀ ସମାଲୋଚନା କରିଛନ୍ତି। କଂଗ୍ରେସ ମତରେ ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ ଦାବି କରାଯାଉଥିବାବେଳେ କେନ୍ଦ୍ର ବିବିସିକୁ ଘେରିଛି। ଆମେ ଜେପିସି ଦାବି କଲୁ, ସେମାନେ ବିବିସି ପଛରେ ପଡ଼ିଗଲେ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

 

Share