ସଂରକ୍ଷଣ ତାଲିକାକୁ ନେଇ ୨୯୯ ଅଭିଯୋଗ

ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାକୁ ନେଇ ମୋଟ ୨୯୯ଟି ଅଭିଯୋଗ ହୋଇଛି । ୫୬ ଜିଲାପରିଷଦ ଆସନ, ୪୦୪ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୫୩୮୩ ୱାର୍ଡସଭ୍ୟ ପଦ ସଂରକ୍ଷଣକୁ ନେଇ ଏହି ଆପତ୍ତି ଅଭିଯୋଗ କରାଯାଇଛି। ସେଥି ମଧ୍ୟରୁ ସରପଞ୍ଚ ପଦକୁ ନେଇ ୨୪ଟି, ୱାର୍ଡସଭ୍ୟ ପଦପାଇଁ ୧୭୪ଟି, ସମିତିସଭ୍ୟ ପଦକୁ ନେଇ ୮୩ଟି ଏବଂ ବଡ଼ସାହି, କପ୍ତିପଦା, ଉଦଳା, ବେତନଟୀ ଓ ରାସଗୋବିନ୍ଦପୁର ବ୍ଲକରୁ ଜିଲାପରିଷଦ ଜୋନ ସଂରକ୍ଷଣକୁ ନେଇ ୧୮ଟି ଅଭିଯୋଗ ହୋଇଥିବା ଜିଲା ପଞ୍ଚାୟତ ଅଧିକାରୀ ଭଗବାନ ଗୌଡ଼ ପ୍ରକାଶ କରିଛନ୍ତି। ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅଧ୍ୟକ୍ଷ ପଦବୀକୁ ନେଇ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଜିଲାର ସମସ୍ତ ସରପଞ୍ଚ ପଦ ଅନୁସୂଚିତ ଜନଜାତି ବର୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ରହିଛି। ମହିଳାମାନଙ୍କୁ ସମାନ ୫୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଛି। ସେହିପରି ଜିଲା ପରିଷଦ ଆସନରେ ପଛୁଆବର୍ଗଙ୍କୁ ମଧ୍ୟ ଆସନ ପ୍ରଦାନ କରାଯାଇଛି । ଜିଲାରେ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବାକୁ ପୁଲିଂ ବୁଥ ତାଲିକା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।